ମହିଳା ଚାଷୀଙ୍କୁ ମାଗଣାରେ ମୋବାଇଲ ବଣ୍ଟନ ! ଜଗତସିଂହପୁରରେ ଜିଲ୍ଲା ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ଅଭିନବ ପ୍ରୟାସ

78

କନକ ବ୍ୟୁରୋ : ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ଲାଗି ଅନେକ ଯୋଜନା କରୁଛନ୍ତି । ଏପରିକି ସରକାର ଚାଷୀମାନଙ୍କୁ ଆଗ୍ରାଧିକାର ଦେବା ଲାଗି ସ୍ୱତନ୍ତ୍ର କୃଷି ବଜେଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି । କେବଳ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିବାରେ ଓଡିଶା ସାରା ଦେଶର ପ୍ରଥମ ରାଜ୍ୟ । ତେବେ ପୂର୍ବରୁ ସରକାର ପାଣିପାଗ ବିଷୟରେ ଜାଣିବା ପାଇଁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋବାଇଲ ପ୍ରଦାନ କରିଛନ୍ତି । ଏହାସହ ବର୍ଷା ଦିନରେ ନଷ୍ଟ ହୋଇଥିବା ବିହନ ଲାଗି ଆଉ ଥରେ ସରକାର ବିହନ ଯୋଗାଇ ଦେବେ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ହେଇଛନ୍ତି । ସେପଟେ ନିଜ ଜିଲ୍ଲାରେ ଚାଷୀମାନଙ୍କ ଉନ୍ନତି ପାଇଁ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ବ୍ୟସ୍ତଥିବା ଦେଖାଯାଉଛି ।

 

ତେବେ ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମହିଳା ଚାଷୀ ମାନଙ୍କୁ ମାଗଣାରେ ମୋବାଇଲ ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବଚନ ରାଜ୍ୟସଭା ସାସଂଦ ବିଷ୍ଣୁ ଦାସ, ତିର୍ତ୍ତୋଲ ବିଧାୟୀକା ଡା. ରାଜଶ୍ରୀ ମଲିକ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଉପ-ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥ ଶର୍ମା ପ୍ରମୁଖ ଯୋଗଦେଇ ୫୦୦ରୁ ଉର୍ଦ୍ଧ ମହିଳା ଚାଷୀ ମାନଙ୍କୁ ମାଗଣାରେ ମୋବାଇଲ ବଣ୍ଟନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଯୋଗ ଦେଇଥିବା ଜଣାପଡିଛି ।

ଜିଲ୍ଲା ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ନିଆଯାଇଥିବା ଏପରି ପଦକ୍ଷେପକୁ ଜିଲ୍ଲା କୃଷକ ସଂଘ ସ୍ୱାଗତ କରିଛି । ସେମାନେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଚାଷୀମାନେ ପାଣିପାଗ ବିଷୟରେ ଜାଣିବା ପାଇଁ ଯେପରି ଭାବରେ ଅନେକ ହଇରାଣ ହରକତ ହେଉଛନ୍ତି । ଏହି ମୋବାଇଲ ମିଳିବା ପରେ ତାହା ନିଶ୍ଚିତ ଭାବରେ ଲାଭବାନ ହେବେ । ଏହାସହ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ଏପରି ଚିନ୍ତାଧାରା କୁ ପ୍ରଶଂସା କରିଥିବା ଜଣାପଡିଛି । ତେବେ ସେଠାକାର ସ୍ଥାନୀୟ ଜନପ୍ରତିନିଧି ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆମ ସରକାରଙ୍କ ସମୟରେ ସବୁବେଳେ ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରାଯାଉଛି । ସେମାନେ କିପରି ଭାବରେ ମୋବାଇଲରେ ପାଣିପାଗ ବିଭାଗର ସମସ୍ତ ତଥ୍ୟ ପାଇବା ସହ ସିଧାସଳଖ କୃଷି ବିଭାଗ ସହ କଥା ହେବେ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେଣୁ ଆମେ ମାନେ ଆଶା ରଖିବା କି ଆମ ରାଜ୍ୟର ଚାଷୀମାନେ ଅଧିକରୁ ଅଧିକ ଉନ୍ନତି କରିପାରିବେ ବୋଲି ଶ୍ରୀ ମଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।