ଚିନ୍ନାସ୍ୱାମୀ ଫେରିବେ ଏବି ଡିଭିଲିୟର୍ସ । ଆରସିବି ଫ୍ୟାନ୍ସଙ୍କୁ କ୍ଷମା ମାଗିବେ ମିଷ୍ଟର ୩୬୦

126

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ଷ୍ଟାର ପ୍ଲେୟାର ଏବି ଡିଭିଲିୟର୍ସ ସମସ୍ତ ଫର୍ମାଟର କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ଗତ ବର୍ଷ ଆଇପିଏଲରୁ ମଧ୍ୟ ସେ ଅବସର ଘୋଷଣା କରିଥିଲେ । ହେଲେ ୨୦୨୩ରେ ହେବାକୁ ଥିବା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଫେରିବେ ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଖେଳାଳି ।

ଆସନ୍ତା ବର୍ଷ ଆଇପିଏଲ୍ ଟୁର୍ଣ୍ଣାମେଟ ନିଜର ପୂର୍ବ ଷ୍ଟାଇଲକୁ ଫେରିବାକୁ ଯାଉଛି । ଆସନ୍ତା ବର୍ଷରୁ ପୁଣି ସାରା ଦେଶରେ ମ୍ୟାଚ୍ ଆୟୋଜନ ହେବାକୁ ଥିବାବେଳେ, ପୁଣିଥରେ ସବୁ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡକୁ ଫେରିବେ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପୁଣିଥରେ ନିଜର ହୋମ୍ ଗ୍ରାଉଣ୍ଡ ଚିନାସ୍ୱାମୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି । ଆଉ ଏଥିପାଇଁ ଏବେଠୁ ଫ୍ୟାନ୍ସଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି ଆରସିବିର ଏହି ଷ୍ଟାର ଖେଳାଳି । ଡିଭିଲିୟର୍ସ କହିଛନ୍ତି, ୨୦୨୩ ଆଇପିଏଲରେ ସେ ଚିନାସ୍ୱାମୀ ଆସିବେ । ହେଲେ ଜଣେ ଖେଳାଳି ଭାବେ ନୁହେଁ, ବରଂ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିବାକୁ ସେ ଚିନାସ୍ୱାମୀକୁ ଆସିବେ । ଫ୍ୟାନ୍ସମାନେ ତାଙ୍କୁ ଏତେ ଦିନ ହେଲା ଭଲ ପାଇବା ଦେଇଛନ୍ତି । ହେଲେ ସେ ତାଙ୍କୁ କେବେ ବି ଟ୍ରଫି ଜିତାଇ ପାରିନାହାଁନ୍ତି । ତେଣୁ ଶେଷରେ ଫ୍ୟାନ୍ସଙ୍କୁ କ୍ଷମା ମାଗିବାକୁ ଡିଭିଲିୟର୍ସ ଚିନାସ୍ୱାମୀ ଷ୍ଟାଡିୟମ ଆସିବେ ବୋଲି ସୂଚନା ଦେଇଛନ୍ତି ।

ଡିଭିଲିୟର୍ସଙ୍କର ଆଖିରେ ଏବେ ସର୍ଜରୀ ହେଇଛି । ଯେଉଁ କାରଣରୁ ସେ କ୍ରିକେଟଠୁ ଦୂରରେ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ ଓ ଆଇପିଏଲରୁ ଅବସର ନେବା ପରେ ଲିଜେଣ୍ଡ ଲିଗ ଖେଳିବାକୁ ତାଙ୍କ ପାଖରେ ଅଫର୍ ଥିଲା । ହେଲେ ଗୋଟିଏ ଆଖିରେ କ୍ରିକେଟ୍ ଖେଳିବାକୁ ସେ ମନା କରିଦେଇଥିଲେ । ତେବେ ଡିଭିଲିୟର୍ସ ଖୁଲାସା କରିଛନ୍ତି ଯେ, ଆଗାମୀ ଦିନରେ ସେ ନିଶ୍ଚୟ କୋଚିଂ କରିବେ । ଆଉ ନିଜେ ଯାହା ବି ଶିଖିଛନ୍ତି ତାକୁ ଅନ୍ୟମାନଙ୍କୁ ବତେଇବେ । ଡିଭିଲିୟର୍ସ ସାଉଥ୍ ଆଫ୍ରିକାର ଖେଳାଳି ହୋଇଥିଲେ ବି, ଭାରତରେ ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା କିଛି କମ୍ ନୁହେଁ । ଭାରତର ଯେଉଁ ଜାଗାକୁ ଗଲେ ବି ଡିଭିଲିୟର୍ସଙ୍କ ଫ୍ୟାନ୍ସ ସେଠି ଦେଖିବାକୁ ମିଳିବେ । ବିଶେଷକରି ବାଙ୍ଗାଲୋର ଟିମ୍ ସହ ଯୋଡି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଘର ବୋଲି ଅନେତ ଥର କହିଛନ୍ତି ଏବି ଡିଭିଲିୟର୍ସ । ଯେଉଁ କାରଣରୁ ଅବସର ନେବା ପରେ ବି ଆସନ୍ତା ବର୍ଷ ଆଇପିଏଲକୁ ଫେରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଡିଭିଲିୟର୍ସ ୨୦୧୮ ମସିହାରେ ଇଂଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ । ହେଲେ ଏହାପରେ ବି ସେ ଆଇପିଏଲ୍ ଖେଳିବା ଜାରି ରଖିଥିଲେ । ୨୦୨୧ ନଭେମ୍ବର ମାସରେ ଡିଭିଲିୟର୍ସ ଆଇପିଏଲକୁ ମଧ୍ୟ ବାଏ ବାଏ କହିଥିଲେ । ଆଉ ସେବେଠୁ ତାଙ୍କୁ ଆଉ କ୍ରିକେଟ୍ ଖେଳିବା ଦେଖିବାକୁ ମିଳିନି । ହେଲେ ଏ ସବୁ ଭିତରେ ଆସନ୍ତାବର୍ଷ ଡିଭିଲିୟର୍ସ ପୁଣି ଚିନାସ୍ୱାମୀକୁ ଫେରିବା ଖବର, ଆରସିବି ଫ୍ୟାନ୍ସଙ୍କୁ ଖୁସି ଦେଇଛି ।