ଏଥର ସଅଳ ଆସିପାରେ ମୌସୁମୀ । ମେ’ ୧୯ରେ ଛୁଇଁବ ଆଣ୍ଡାମାନ । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ, ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ ।

1,940

କନକବ୍ୟୁରୋ : ଏଥର ଶୀଘ୍ର ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପପୁଞ୍ଜ ଅଂଚଳରେ ମେ ୧୯ ତାରିଖରେ ମୌସୂୁମୀ ବାୟୁ ଛୁଇଁବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ୱାଭାବିକ ଭାବେ ମେ ୨୨ରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ । କିନ୍ତୁ ଚଳିତଥର ଦୁଇ ଦିନ ଆଗରୁ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଆଣ୍ଡାମାନକୁ ପୂର୍ବ ଦିଗରୁ ବାୟୁ ପ୍ରବାହ ଦୁର୍ବଳ ହେଉଥିବା ବେଳେ ପଶ୍ଚିମା ବାୟୁ ପ୍ରବାହ ବଢୁଛି ।

ଯାହା, ମୌସୁମୀ ଆଗମନକୁ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ । ଆଣ୍ଡାମାନ ପରେ ଜୁନ୍ ପହିଲାରେ କେରଳ ଛୁଇଁବା ପରେ ଜୁନ ୧୦ ସୁଦ୍ଧା ଓଡ଼ିଶା ପହଂଚିଥାଏ ମୌସୁମୀ ବାୟୁ । ଏଥର ଠିକ୍ ସମୟରେ ମୌସୁମୀ ଆସିବା ନେଇ ସଂଭାବନା ରହିଛି । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ମେ’ ୧୭ରୁ ୨୩ ତାରିଖ ମଧ୍ୟରେ ଏହା ଗଭୀର ଅବପାତ ହେବାର ସଂଭାବନା ରହିଛି । ସେପଟେ ପାଣିପାଗ ବିଶେଜ୍ଞଙ୍କ କହିବା କଥା ୨୧ ତାରିଖରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

ପରେ ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏ ପର୍ଯ୍ୟନ୍ତ ଏହାର ଅବସ୍ଥିତି ଓ ରୂପରେଖ ଆକଳନ କରାଯାଇପାରିନାହିଁ । ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁଠି ରହିବ ତାହା କୁହାଯାଇପାରିବ । ଅନ୍ୟପଟେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରାଜ୍ୟରେ ଜାରି ରହିବ । ଆସନ୍ତା ୪୮ ଘଂଟା ପରେ ତାପମାତ୍ର ଦୁଇରୁ ୪ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।