ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋକୁ ବଡ ସଫଳତା, ଦିଲ୍ଲୀ ଶାହୀନବାଗରୁ ଜବତ ଦେଲା ୯୭ କିଲୋ ଡ୍ରଗ୍ସ

87

କନକ ବ୍ୟୁରୋ : ଏନସିବିର ଦିଲ୍ଲୀ ୟୁନିଟକୁ ଏକ ବଡ ସଫଳତା ମିଳିଛି । ଦିଲ୍ଲୀ ଶାହୀନବାଗର ଜାମିଆ ନଗରରେ ଚଢାଉ କରି ୫୦ କିଲୋ ହେରୋଇନ, ୪୭ କିଲୋ ସଂଦିଗ୍ଧ ନିଶାଦ୍ରବ୍ୟ ଓ ୩୦ ଲକ୍ଷ ଟଙ୍କା ଜବତ କରିଛି । ଏହାସହ ଘଟଣା ସ୍ଥଳରୁ ଏକ ଟଙ୍କାଗଣା ମେସିନ ବି ଏନସିବି ଜବତ କରିଛି । ଦିଲ୍ଲୀ ଉତ୍ତରାଞ୍ଚଳ ଡିଡିଜି ଜ୍ଞାନେଶ୍ୱର ସିଂ କହିଛନ୍ତି କି ଏହି ସାମଗ୍ରୀଗୁଡିକ ୨ ଟି ବ୍ୟାଗରେ ବନ୍ଧା ହୋଇଥିଲା ଓ ଏହା ବୁଧବାର ଦିନ ଜବତ କରାଯାଇଛି ।

ଏନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସେ କହିଛନ୍ତି । ଏପର୍ଯ୍ୟନ୍ତ ହୋଇଥିବା ଯାଂଚ ମୁତାବକ ଏହି ଡ୍ରଗ୍ସ କାରବାର ପଛରେ ଏକ ଅର୍ନ୍ତରାଷ୍ଟ୍ରୀୟ ସଂଗଠନର ହାତ ଥିବା କଥା ଜ୍ଞାନେଶ୍ୱର ସନ୍ଦେହ କରିଛନ୍ତି । ଏନସିବିର ସୂଚନା ମୁତାବକ ଆଫଗାନିସ୍ତାନରୁ ଏହି ହେରୋଇନ ଅଣାଯାଇଛି । ଏହାସହ ମିଳିଥିବା ଟଙ୍କା ହାୱାଲା ମାଧ୍ୟମରେ ଅଣାଯାଇଥିବା କଥା ଜ୍ଞାନେଶ୍ୱର ସୂଚନା ଦେଇଛନ୍ତି । ସବୁଠାରୁ ବଡକଥା କି ଏହି ହେରୋଇନଗୁଡିକୁ ସମୁଦ୍ର ପଥ କିମ୍ବା ସୀମାଦେଇ ଅଣାଯିବା ବେଳେ ଏହାକୁ ଫ୍ଲିପକାର୍ଟ ପ୍ୟାକେଟରେ ପ୍ୟାକେଜିଂ କରି ଅଣାଯାଇଛି ।

 

ସେପଟେ ଏନସିବିର ପଚାରା ଉଚରା ବେଳେ ଧରା ପଡିଥିବା ବ୍ୟକ୍ତିଜଣଙ୍କ କହିଛନ୍ତି କି ଏହି କାରବାର ପଛରେ ଇଣ୍ଡୋ-ଆଫଗାନ ସିଣ୍ଡିକେଟର ହାତ ରହିଛି । ଏହି ଡ୍ରଗ୍ସ ପଞ୍ଜାବ, ୟୁପି, ଦିଲ୍ଲୀ ଓ ହରିଆଣାକୁ ସପ୍ଲାଏ କରାଯାଉଥିଲା ।