ସିଲିଣ୍ଡର ଗ୍ୟାସ ଦୁର୍ଘଟଣା ହେଲେ ଗ୍ରାହକଙ୍କୁ ମିଳିଥାଏ ବୀମା ! ଜାଣନ୍ତୁ କିଭଳି ଉଠାଇବେ ଏହାର ଫାଇଦା

49

ସାଧାରଣତଃ ଜୀବନ ବୀମା, ଘରର ବୀମା, ଦୋକାନର ବୀମା ଓ ଫୋନର ବୀମା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରରେ ମଧ୍ୟ ବୀମା ସୁବିଧା ଉପଲବ୍ଧ ରହିଥାଏ । କିନ୍ତୁ ସୂଚନା ଅଭାବରୁ ଗ୍ରାହକ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ । ସବୁଠୁ ବଡ଼ କଥା ହେଲା, ଏହି ବୀମା ସୁବିଧା ଗ୍ରାହକଙ୍କୁ ମାଗଣାରେ ଉପଲବ୍ଧ କରାଯାଇଥାଏ ।

ଗ୍ୟାସ ସିଲିଣ୍ଡରରେ ମିଳିଥାଏ ବୀମା ସୁବିଧା : ଗ୍ୟାସ ସିଲିଣ୍ଡର ମୋଟ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିଥାଏ । ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କୁ ଏହି ବୀମା ସୁବିଧା ମିଳିଥାଏ । ପଞ୍ଜୀକୃତ ହୋଇଥିବା ଘରେ ଗ୍ୟାସ ଦୁର୍ଘଟଣା ହେଲେ ଏହି ବୀମା ସୁବିଧା ମିଳିଥାଏ ।ଏହି ବୀମା ସୁବିଧାର ଲାଭ ପରିବାରର ସମସ୍ତ ସଦସ୍ୟଙ୍କୁ ମିଳିଥାଏ । ଏହାଛଡ଼ା ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକ କ୍ଷତିପୂରଣ ପାଇଁ ଅଦାଲତର ଆଶ୍ରୟ ନେଇପାରିବେ । ଅଦାଲତରେ ଗ୍ୟାସ ଦୁର୍ଘଟଣାରେ ଆହତ କିମ୍ବା ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବୟସ, ଦରମା ଓ ଅନ୍ୟାନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯିବ ତାହା ସ୍ଥିର କରିଥାନ୍ତି ।

କ୍ଷତିପୂରଣ ପାଇବାକୁ କଣ କରିବାକୁ ପଡ଼ିବ : ଯଦି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡରକୁ ନେଇ କୌଣସି ଦୁର୍ଘଟଣା ହୋଇଥାଏ । ତେବେ ସର୍ବପ୍ରଥମେ ଏହାର ସୂଚନା ପୋଲିସ ଥାନାରେ ଦେବା ଆବଶ୍ୟକ । ଏହାଛଡ଼ା ଗ୍ୟାସ ପ୍ରଦାନ କରୁଥିବା ବିତରକଙ୍କୁ ମଧ୍ୟ ପାଞ୍ଚ ଦିନ ମଧ୍ୟରେ ଦୁର୍ଘଟଣା ବାବଦରେ ସୂଚନା ଦେବାକୁ ପଡ଼ିବ । ଏହାପରେ ଡ଼ିଷ୍ଟିବ୍ୟୁଟର ବା ବିତରକ ସମ୍ପୃକ୍ତ କମ୍ପାନି ଓ ବୀମା କମ୍ପାନିକୁ ସୂଚନା ଦେଇଥାନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ଜରୁରୀ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ପଡ଼ିଥାଏ । ଏହାପରେ ମାମଲାଟି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଯାଇଥାଏ । ସେଠାରୁ ଏହି ରିପୋର୍ଟ ବୀମା କମ୍ପାନିକୁ ଦିଆଯାଇଥାଏ ।

ବୀମା ପାଇବାକୁ ପୂରଣ କରିବାକୁ ପଡ଼ିଥାଏ କିଛି ସର୍ତ୍ତ : ସର୍ତ ଅନୁଯାୟୀ, ଆପଣଙ୍କ ଘରେ ବ୍ୟବହାର ହେଉଥିବା ଗ୍ୟାସ ସଂଯୋଗ ବୈଧ ହୋଇଥିବା ଆବଶ୍ୟକ । ଏହାଛଡ଼ା ଗ୍ରାହକ ଆଇଏସଆଇ ମାର୍କ ଥିବା ଗ୍ୟାସ ଚୁଲା ଉପଯୋଗ କରିବା ନିହାତି ଆବଶ୍ୟକ । ଏପରିକି ଗ୍ୟାସ ଏଜେନ୍ସି ଠାରୁ ମିଳୁଥିବା ପାଇପ-ରେଗୁଲେଟର ଗ୍ରାହକ ବ୍ୟବହାର କରୁଥିବେ । ଗ୍ୟାସ ସଂଯୋଗ ହୋଇଥିବା ସ୍ଥାନରେ ଖୋଲା ବିଦ୍ୟୁତ ତାର ନଥିବ । ଗ୍ୟାସ ଚୁଲା ଓ ସିଲିଣ୍ଡର ରଖିବା ପାଇଁ ଉଚ୍ଚ ସ୍ଥାନ ରହିବା ଆବଶ୍ୟକ ।