ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କାଳ ସାଜିଛନ୍ତି ଏହି ମହିଳା କର୍ମଚାରୀ, ଏକାକୀ ଆଦାୟ କରିଛନ୍ତି ୧କୋଟି ଟଙ୍କା ଜରିମାନା

13,029

କନକ ବ୍ୟୁରୋ : ରେଳ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ମହିଳା କର୍ମଚାରୀଜଣଙ୍କ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଏକାକୀ ୧କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି ।

ରୋଜାଲୀନ ଓରୋକିୟା ମେରୀ ନାମକ ଏହି ମହିଳା କର୍ମଚାରୀ ଜଣଙ୍କ ଦକ୍ଷିଣ ରେଲୱେରେ ମୁଖ୍ୟ ଟିକେଟ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ରେଳ ବିଭାଗର ୧କୋଟି ଟଙ୍କା ଜରିମାନା ଆଦାୟ କରିବାରେ ସେ ପ୍ରଥମ ମହିଳା ଟିଟିଇ ।

ଏନେଇ ରେଳ ମନ୍ତ୍ରଣାଳୟର ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ରୋଜାଲୀନଙ୍କ ଫଟୋ ସେୟାର କରାଯାଇଛି । ଏହି ଫଟୋରେ ରୋଜାଲୀନ ରେଳଯାତ୍ରୀଙ୍କ ଟିକେଟ ଚେକ୍ କରୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ସେ ପେନାଲଟି ମଧ୍ୟ ଆଦାୟ କରିଛନ୍ତି ।

ରେଳ ମନ୍ତ୍ରଣାଳୟ ତରଫରୁ ଏହି ଟ୍ୱିଟରେ ଲେଖାଯାଇଛି କି, ରୋଜାଲୀନ ନିଜର କାମକୁ ପୁରା ନିଷ୍ଠାର ସହ କରୁଛନ୍ତି । ସେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ଓ ବେଆଇନ ଭାବେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ମୋଟ ୧.୦୩କୋଟି ଟଙ୍କା ଜରିମାନା ଆକାରରେ ଆଦାୟ କରିଛନ୍ତି ।

ଦକ୍ଷିଣ ରେଳ ବିଭାଗ ତରଫରୁ ଜାରି କରାଯାଇଥିବା ଏକ ତାଲିକା ମୁତାବକ ରୋଜାଲୀନଙ୍କ ବ୍ୟତୀତ ଅନ୍ୟ ୨ଜଣ ଟିଟିଇ ମଧ୍ୟ ୧କୋଟି ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛନ୍ତି । ଏସବୁ ଜରିମାନା ୨୦୨୨ ମାର୍ଚ୍ଚରୁ ୨୦୨୩ ମଧ୍ୟରେ ଆଦାୟ କରାଯାଇଛି । ଚେନ୍ନାଇ ଡିଭିଜନର ଡେପୁଟୀ ଚିଫ୍ ଟିଟିଇ ଏସ୍ ନନ୍ଦା କୁମାର ୧.୫୫ କୋଟି ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଅନ୍ୟଜଣେ କର୍ମଚାରୀ ୧.୧୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି ।