ଏପ୍ରିଲ ପହିଲାରୁ ଏସବୁ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ, ଆପଣଙ୍କ ମାସିକ ବଜେଟ ଉପରେ ପକାଇପାରେ ପ୍ରଭାବ

5,910

କନକ ବ୍ୟୁରୋ : ମାର୍ଚ୍ଚ ମାସ ଶେଷରେ ଚଳିତ ୨୦୨୩ ଆର୍ଥିକ ବର୍ଷ ସମାପ୍ତ ହେବାକୁ ଯାଉଛି । ଏଣୁ ଚଳିତମାସ ହେଉଛି ସମସ୍ତ ସେକ୍ଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ । କାରଣ ଚଳିତବର୍ଷର ବାକିଥିବା କାମଗୁଡିକୁ ଏହି ମାସ ଶେଷ କରିବାକୁ ପଡିଥାଏ । ଏହାପରେ ଏପ୍ରିଲ ମାସଠାରୁ ପୁଣି ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଥିବାରୁ ବିଭିନ୍ନ ନିୟମର ପରିବର୍ତ୍ତନ ହୋଇଥାଏ । ପ୍ରତିମାସ ଆରମ୍ଭ ଭଳି ଏପ୍ରିଲ ମାସ ଆରମ୍ଭରୁ ବି ଅନେକଗୁଡିଏ ନିୟମର ପରିବର୍ତ୍ତନ ହେବାକୁ ଯାଉଛି ।

ଏପ୍ରିଲ ମାସରୁ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧିପାଇପାରେ । ସରକାରୀ ତୈଳ କମ୍ପାନୀମାନେ ପ୍ରତିମାସର ପହିଲାରୁ ଗ୍ୟାସ ସିଲିଣ୍ଡର ଓ ପେଟ୍ରୋଲ ଡିଜେଲର ଦାମ ଜାରି କରିଥିଲା । ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଏହାସହ ବ୍ୟବସାୟୀକ ସିଲିଣ୍ଡରର ଦାମ ମଧ୍ୟ ୩୫୦ ଟଙ୍କା ବୃଦ୍ଧି ପାଇଥିଲା । ତେଣୁ ଏପ୍ରିଲମାସ ଆରମ୍ଭରୁ ପୁଣି ଗ୍ୟାସ ଓ ତୈଳ ଉପରେ ଦାମ ବଢିପାରେ ବୋଲି ଆଶଂକା କରାଯାଉଛି ।

ସେପଟେ ଏପ୍ରିଲ ମାସ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ଛୁଟି ତାଲିକା ଜାରି କରିଛି । ଏହି କ୍ରମରେ ଏପ୍ରିଲ ମାସରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ବ୍ୟାଙ୍କ ସହିତ ଜଡିତ କିଛି କାମ ରହିଛି ତେବେ ତାକୁ ତୁରନ୍ତ କରାଇ ନିଅନ୍ତୁ ।

ଅନ୍ୟପଟେ ଏମାର୍ଚ୍ଚ ୩୧ ତାରିଖରେ ଶେଷ ହେବାକୁ ଯାଉଛି ପାନକାର୍ଡ ସହ ଆଧାରକାର୍ଡ ଲିଙ୍କର ଶେଷ ତାରିଖ । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ସହ ପାନ କାର୍ଡକୁ ଲିଙ୍କ କରିବାକୁ ପଡିବ । ନହେଲେ ଆପଣଙ୍କ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ ।

କେବଳ ସେତିକି ନୁହେଁ ସୁନା ଗହଣା ଉପରେ ମଧ୍ୟ ଏପ୍ରିଲ ପହିଲାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଉପଭୋକ୍ତା ମନ୍ତ୍ରଣାଳୟ ତରଫରୁ ସୁନା ଗହଣାର କ୍ରିୟ ବିକ୍ରୟ ଉପରେ ଏପ୍ରିଲ ପହିଲାରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ୩୧ ମାର୍ଚ୍ଚ ୨୦୨୩ ପରେ ସୁନା ଗହଣା ଉପରେ ହଲମାର୍କ ସହ ୪ଅଙ୍କ ବିଶିଷ୍ଠ ଏଚୟୁଆଇଡି ନମ୍ବର ବାଧ୍ୟତାମୂଳକ କରାଯିବ । ଏହି ନମ୍ବର ବିନା ଆପଣ ପୁରୁଣା ସୁନା ଗହଣା ବିକ୍ରି କରିପାରିବେ ନାହିଁ ।