ଆଜି ପୁଣି ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଆହତ ଜନିତ ସମସ୍ୟାରେ ଦୁଇ ଦଳ । ଦେଖନ୍ତୁ, ଚୂଡାନ୍ତ ଏକାଦଶରେ ରହିପାରନ୍ତି କେଉଁ କେଉଁ ଖେଳାଳି?

190

କନକ ବ୍ୟୁରୋ: ଏସିଆ କପରେ ଆଜି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପୁଣି ଥରେ ଭେଟିବ ଟିମ୍ ଇଣ୍ଡିଆ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ୍ ପ୍ରସାରିତ ହେବ । ତେବେ ଏହି ମ୍ୟାଚରେ ଦୁଇ ଦଳର ଚୂଡାନ୍ତ ଏକାଦଶ କଣ କଣ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇଛି ।

ଉଭୟ ଭାରତ ଓ ପାକିସ୍ତାନ ଦଳର ଖେଳାଳିମାନେ ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ପାକିସ୍ତାନର ୩ ଜଣ ବୋଲର ଏବେ ସୁଦ୍ଧା ଆହତ ହେଇ ଦଳରୁ ବାହାରେ ବସିଥିବାବେଳେ, ଭାରତର ମଧ୍ୟ ସମାନ ଅବସ୍ଥା । ତେଣୁ ଏପରି ସ୍ଥିତିରେ ରୋହିତ ଓ ବାବର ଆଜମ କେଉଁ କେଉଁ ଖେଳାଳିଙ୍କୁ ନେଇ ଆଜି ପଡିଆକୁ ଓହ୍ଲାଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର ।

ଜଶପ୍ରୀତ ବୁମରାଙ୍କ ପରେ ଏବେ ରବୀନ୍ଦ୍ର ଜାଡେଜା ଆହତ ହେଇ ଏସିଆ କପରୁ ବାଦ୍ ପଡିଛନ୍ତି । ଜାଡେଜାଙ୍କ ବଦଳ ଖେଳାଳି ଭାବେ ଅଲରାଉଣ୍ଡର ଅକ୍ଷର ପଟେଲ ଦଳରେ ସାମିଲ ହେଇଛନ୍ତି । ହେଲେ ଆଜି ପାକିସ୍ତାନ ବିପକ୍ଷରେ ସେ ଦଳରେ ରହିବେ ନା ନାହିଁ ତାହା ସ୍ପଷ୍ଟ ହେଇପାରୁନି । ଅନ୍ୟପଟେ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ଭିତରୁ ଜଣେ ଖେଳାଳି ଆଜି ଚୂଡାନ୍ତ ଏକାଦଶରେ ରହିପାରନ୍ତି । ତେଣୁ ଅଧିନାୟକ ରୋହିତ ଶର୍ମା କାହା ଉପରେ ଅଧିକ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅନ୍ୟପଟେ ପାକିସ୍ତାନ ଟିମର ତିନି ଜଣ ଖେଳାଳି ଶାହୀନ ଶାହା ଆଫରିଦି, ମହମ୍ମଦ ବସିମ ଜୁନିୟର ଓ ଶାହନବାଜ ଦହାନୀ ଆହତ ହେଇ ଦଳରୁ ବାହାରେ ଅଛନ୍ତି । ଏପରି ସ୍ଥିତିରେ ଦଳ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ବାବରଙ୍କ ପାଇଁ ମୁଣ୍ଡବିନ୍ଧା ହେବ । ବିଶେଷକରି ଦଳରୁ ଦହାନୀ ବାଦ୍ ପଡିବା ଦଳକୁ ଶକ୍ତ ଝଟକା ଦେଇଛି ।

ସମ୍ଭାବିତ ଏକାଦଶ
ଭାରତୀୟ ଟିମ୍: ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ/ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ରବୀଚନ୍ଦ୍ରନ ଅଶ୍ୱିନୀ/ଆଭେସ ଖାନ୍, ୟୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂହ