ଟେଷ୍ଟ ପରେ ଦିନିକିଆ ସିରିଜ୍ ବି ଜିତିଲା ଟିମ୍ ଇଣ୍ଡିଆ : ଶେଷ ମ୍ୟାଚରେ ୨୦୦ ରନ୍ ବଡ଼ ବ୍ୟବଧାନରେ ହାରିଲା ୱେଷ୍ଟଇଣ୍ଡିଜ୍

632

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ଘରୋଇ ଦଳକୁ ୨୦୦ ରନର ବଡ଼ ବ୍ୟବଧାନରେ ହରାଇଛି ଭାରତ । ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ କରିଥିଲା ୩୫୧ ରନ୍ । ଈଶାନ୍ କିଷନ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ମାରିଥିଲେ । ଈଷାନ୍ ୬୪ ବଲରେ କରିଥିଲେ ୭୭ ରନ୍ । ଅନ୍ୟତମ ଓପନର ଶୁବମନ ଗିଲ୍ ୮୫ ରନ୍ କରି ଫର୍ମକୁ ଫେରିଛନ୍ତି ।

ମଧ୍ୟକ୍ରମରେ ସଂଜୁ ସାମସନ୍ ୫୧ ରନ୍, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୭୦ ରନ୍ ଓ ସୂର୍ଯ୍ୟକୁମାର ଯାଦବ ୩୫ ରନ୍ କରିଥିଲେ । ୩୫୨ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଘରୋଇ ଦଳ ସମସ୍ତ ୱିକେଟ୍ ହରାଇ କରିଥିଲା ୧୫୧ ରନ୍ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଗୁଡାକେଶ ମୋଟି ୩୯ ରନ୍, ଅଲିକ୍ ଅଥାନେଜ୍ ୩୨ ରନ୍ ଓ ଅଲଜାରୀ ଜୋସେଫ୍ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ମୁକେଶ କୁମାର ୩ଟି ଓ କୁଲଦୀପ ଯାଦବ ନେଇଥିଲେ ୨ଟି ୱିକେଟ୍ । ଗିଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଇଶାନ୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି ।

ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ବିଶ୍ରାମ ‌ଦେଇ ଭାରତ ଏହି ମ୍ୟାଚ୍‌ ଖେଳିଛି । ତ୍ରିନିଦାଦର ବ୍ରାଏନ୍ ଲାରା କ୍ରିକେଟ୍‌ ଏକାଡେମୀରେ ଭାରତ ଦୁଇଟି ପରିବର୍ତନ କରି ପଡ଼ିଆକୁ ଓହ୍ଲାଇଥିବା ବେ‌‌ଳେ ଏହି ଦୁଇ ଅଭିଜ୍ଞ ଖେଳାଳି ଦଳକୁ ଫେରିନଥିଲେ । ଅକ୍ଷର ପଟେଲ୍ ଏବଂ ଉମ୍ରାନ ମଲ୍ଲିକଙ୍କ ବଦଳରେ ଋତୁରାଜ ଗାଏକ୍ବାଡ୍‌, ଜୟଦେବ ଉନାଦକଟ୍‌ ସୁଯୋଗ ପାଇଥିଲେ । ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ୍ ବିଜୟୀ ଦ୍ବିତୀୟ ଦିନିକିଆ ଦଳରେ କୌଣସି ପରିବର୍ତ୍ତନ କରିନଥିଲା ।