ମହାରାଷ୍ଟ୍ରରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ! ମଧୁମେହ ରୋଗରେ ପୀଡିତ ଥିଲେ ୫୨ ବର୍ଷିୟ ବ୍ୟକ୍ତି

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଗୁରୁବାର ଗୋଟିଏ ଦିନରେ ଆସିଛି ୧୯୮ ଓମିକ୍ରନ୍ ମାମଲା

120

କନକ ବ୍ୟୁରୋ : ଭାରତରେ ଓମିକ୍ରନର ପ୍ରଥମ ମୃତ୍ୟୁ ହୋଇଥିବା ଖବର ଆସିଛି । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ମଧୁମେହ ରୋଗରେ ପୀଡିତ ଜଣେ ୫୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ, ପିମ୍ପରି ଛିଞ୍ଚୱାଡ଼ା ପୌର ନିଗମର ଯଶୱନ୍ତପୁର ହସ୍ପିଟାଲ୍‌ରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ୧୩ ବର୍ଷ ଧରି ମଧୁମେହରେ ପୀଡ଼ିତ ଥିଲେ । ସରକାର ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ବୋଲି କହିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ, ସେ ଓମିକ୍ରନ୍‌ ସଂକ୍ରମିତ ଥିଲେ । ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି ।

ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଗୁରୁବାର ଦିନ ୧୯୮ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ । ଅନ୍ୟପକ୍ଷେ ରାଜ୍ୟରେ ଆଜି ୫,୩୬୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୩,୬୭୧ ମାମଲା ମୁମ୍ବାଇରୁ ରହିଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ‌ଟୋପେ କହିଛନ୍ତି, ପ୍ରାୟ ୪ ହଜାର ନୂଆ ମାମଲା ସହ ମୁମ୍ବାଇର କେସ୍‌ ପଜିଟିଭ୍‌ ହାର ୮.୪୮ ପ୍ରତିଶତକୁ ବୃଦ୍ଧି ପାଇଛି ।