ଭୁବନେଶ୍ୱରରେ ଟିମ୍ ଇଣ୍ଡିଆ ! ବାରବାଟୀ ମୁକାବିଲା ପାଇଁ ଓଡ଼ିଶାରେ ପହଂଚିଲା ଭାରତ ଓ ଶ୍ରୀଲଙ୍କା

25

କନକ ବ୍ୟୁରୋ: ଓଡିଶାରେ ପହଁଚିଛନ୍ତି ଭାରତ ଓ ଶ୍ରୀଲଙ୍କା କ୍ରିିକେଟ୍ ଟିମ୍ । ବିଶାଖପାଟଣାରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ଦୁଇ ଦଳର ଖେଳାଳି । କଡା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ବିମାନବନ୍ଦରରୁ ହୋଟେଲକୁ ନିଆଯାଇଛି ।

ଖେଳାଳିମାନେ ହୋଟେଲରେ ପହଁଚିବା ପରେ ସେମାନଙ୍କୁ ସେଠାରେ ଭବ୍ୟ ସ୍ୱାଗତ ଦିଆଯାଇଛି । ଓଡିଶାର ପରମ୍ପରା ଅନୁଯାୟୀ ଖେଳାଳିଙ୍କୁ ଚନ୍ଦନ ତିଲକ ଲଗାଇ , ଅତିଥ ଦେବୋ ଭବଃ ନୀତିରେ ସ୍ୱାଗତ କରାଯାଇଛି । ଆସନ୍ତାକାଲି ଖେଳାଳିମାନେ କଟକ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ କରିବା ପାଇଁ ଯିବେ । ଶ୍ରୀଲଙ୍କା ଦଳ ୯ଟାରୁ ୧୨ଟା ଓ ଭାରତୀୟ ଦଳ ୨ଟାରୁ ୫ଟା ପର୍ଯ୍ୟନ୍ତ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କୁ ସୁରକ୍ଷିତ ଭାବେ ହୋଟେଲରୁ ଷ୍ଟାଡିୟମକୁ ନେବା ଆଣିବା କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ୍ ।

ସେପଟେ ଶେଷ ପର୍ଯ୍ୟାୟରେ ଆଜି ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ପୁଲିସ ଡିଜି ଓ କମିଶନର । ଖେଳାଳିଙ୍କ ଯିବା ଆସିବାଠାରୁ ଆରମ୍ଭ କରି ଷ୍ଟାଡିୟମରେ ଖେଳ ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ଯେପରି କୋ÷ଣସି ପ୍ରକାର ଅସୁବିଧା ନହୁଏ ତାର ସମୀକ୍ଷା କରିଛନ୍ତି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି ପୁଲିସ୍ । ଟ୍ୱିନ ସିଟିକୁ ଜଗିବେ ୯୧ ପ୍ଲାଟୁନ୍ ଫୋର୍ସ । କଟକରେ ୬୩ ପ୍ଲାଟୁନ ଏବଂ ଭୁବନେଶ୍ୱରରେ ୧୮ପ୍ଲାଟୁନ୍ ଫୋର୍ସ ମୁତୟନ ହେବ । ସେହିଭଳି ଷ୍ଟାଡିୟମ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରିଛି ପୁଲିସ । ପାଣି ବୋତଲ, ଗୁଟକା, ବିଡି, ସିଗାରେଟ୍, ଦିଆସିଲି ଓ ଅନ୍ୟାନ୍ୟ ଜିନିଷ ନେବା ଉପରେ କଟକଣା ଲଗାଯାଇଛି ।