ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚର ତାରିଖ ଘୋଷଣା । ଜୁନ୍ ୭ରୁ ୧୧ ଖେଳାଯିବ ଫାଇନାଲ ମ୍ୟାଚ୍ । ଭାରତ-ଅଷ୍ଟ୍ରେଲିଆ ଭିତରେ ହୋଇପାରେ ଟକ୍କର ।

263

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ବୁଧବାର ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚର ତାରିଖ ଘୋଷଣା ହୋଇଛି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୭ ତାରିଖରୁ ୧୧ ତାରିଖ ଯାଏଁ ଖେଳାଯିବ । ଜୁନ୍ ୧୨ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ତେବେ ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ପ୍ରଥମ ସଂସ୍କରଣ ଭାରତ-ନ୍ୟୁଜିଲାଣ୍ଡ ଭିତରେ ଖେଳାଯାଇଥିଲା, ଏହି ମ୍ୟାଚ୍ ସେତେବେଳଏ ସାଉଥ୍ ହମ୍ପଟନରେ ଖେଳାଯାଇଥିଲା । ଏହି ଫାଇନାଲ୍ ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ଚାମ୍ପିୟନ୍ ହୋଇଥିଲା ନ୍ୟୁଜିଲାଣ୍ଡ ।

ଏଥର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ହୋଇପାରେ । ଅଷ୍ଟ୍ରେଲିଆ ଏବେ ଟେଷ୍ଟ ଚାମ୍ପିୟନସିପ୍ ରାଙ୍କିର ପ୍ରଥମ ସ୍ଥାନରେ ଥିବାବେଳେ, ତାହାର ବିଜୟ ପ୍ରତିଶତ ରହିଛି ୭୫.୫୬ ପ୍ରତିଶତ । ସେହିପରି ଭାରତୀୟ ଟିମ୍ ମଧ୍ୟ ରାଙ୍କିର ଦ୍ୱିତୀୟ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆର ବିଜୟ ପ୍ରତିଶତ ରହିଛି ୫୮.୯୩ ପ୍ରତିଶତ । ଏପରି ସ୍ଥିତିରେ ଏହି ଦୁଇଟି ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ସମ୍ଭାବନା ଅଧିକ ରହିଛି ।

ତେବେ ଭାରତ- ଅଷ୍ଟ୍ରେଲିଆ ଭିତରେ ଫେବ୍ରୁଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲିଷ୍ଟ ଟିମର ଚୟନ କରିବ । ଏହି ସିରିଜକୁ ୩-୧ରେ ଜିତିଲେ ଭାରତର ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ । ତେବେ ଯଦି ଭାରତ ଏହି ସିରିଜକୁ ହାରିଯାଉଛି, ତେବେ ଟିମ୍ ଇଣ୍ଡିଆକୁ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଅନ୍ୟ ଟିମ୍ ଉପରେ ନିର୍ଭର କରିବାକୁ ପଡିବ । ଶ୍ରୀଲଙ୍କା ଏବେ ୫୩.୩୩ ବିଜୟ ପ୍ରତିଶତ ସହ ତୃତୀୟ ସ୍ଥାନରେ ଥିବାରୁ ଭାରତ ପାଇଁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।

ବର୍ଡର ଗାଭାସ୍କର ଟ୍ରଫି

  • ପ୍ରଥମ ଟେଷ୍ଟ – ଫେବ୍ରୁଆରୀ ୯ରୁ ୧୩ – ନାଗପୁର
  • ଦ୍ୱିତୀୟ ଟେଷ୍ଟ – ଫେବ୍ରୁଆରୀ ୧୭ରୁ ୨୧ – ଦିଲ୍ଲୀ
  • ତୃତୀୟ ଟେଷ୍ଟ – ମାର୍ଚ୍ଚ ୧ରୁ ୫ – ଧର୍ମଶାଳା
  • ଚତୁର୍ଥ ଟେଷ୍ଟ – ମାର୍ଚ୍ଚ ୯ରୁ ୧୩ – ଅହମ୍ମଦାବାଦ୍