ଯମପଡା ପଞ୍ଚାୟତରେ ମିଳିଲା ହାଇଡ୍ରୋକାର୍ବନର ସନ୍ଧାନ : ଜମି ହରାଉଥିବା ସ୍ଥାନୀୟ ଲୋକମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ

463

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଞ୍ଚାୟତର ଗଉଡଗାଁରେ ମିଳିଛି ହାଇଡ୍ରୋକାର୍ବନର ସନ୍ଧାନ । ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶ୍ୱ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଏନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହେବା ପରେ ଜମି ହରାଉଥିବା ସ୍ଥାନୀୟ ଲୋକମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ମାଟିତଳ ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୪ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଛି ।

ତେବେ ଆବଶ୍ୟକ ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକମାନଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବା ପରେ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଜମି ମାଲିକ ମାନଙ୍କଠାରୁ ୩ ବର୍ଷ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଲିଜ୍ ଆକାରରେ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏନେଇ ଯମପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।