ଝିଅର ଚିକିତ୍ସା ପାଇଁ ମା’ ଆକୁଳ ନିବେଦନ : ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୧୮ ଲକ୍ଷ ଟଙ୍କା

289

କନକ ବ୍ୟୁରୋ : ମୋ ଝିଅକୁ ବଞ୍ଚେଇ ଦିଅ  । ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ । ଏପରି କହି ଝିଅର ଲିଭର ଟ୍ରାନ୍ସପ୍ଲାଣ୍ଟ ଲାଗି ଆବଶ୍ୟକ ୧୮ ଲକ୍ଷ ଟଙ୍କା ଯୋଗାଡ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମାଆ । ବରଗଡ଼ ପୌରାଂଚଳର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଟାଙ୍ଗରପଡାରୁ ଆସିଛି ଏଭଳି ଏକ ଅଭାବନୀୟ ଖବର ।

ଗାଁର କାହ୍ନୁ ସେଠ ନିଜ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହ ଏଠାରେ ରହି ଆସୁଛନ୍ତି । ନିଜର କୌଳିକ ବୃତି ଅନୁଯାୟୀ କପଡା ସଫା ସହ ଆଇରନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି କାହ୍ନୁ । ଝିଅ କମଳିନୀ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢୁଛନ୍ତି । ୨୦୧୪ ମସିହାରେ କମଳିନୀଙ୍କୁ ହଠାତ ଏକ ଦୁଃରାରୋଗ ମାଡିବସିଲା । ଯେଉଁ କାରଣରୁ ତାଙ୍କ ପେଟରେ ବାରମ୍ବାର ପାଣି ଜମି ପେଟ ଫୁଲିବାରେ ଲାଗିଲା । କାହ୍ନୁ କମଳିନୀଙ୍କୁ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ ହେଁ, କିଛି ସୁଫଳ ମିଳିଲାନାହିଁ ।

ଆଉ ଅଧିକ ଡୋଜ ମେଡିସିନ ଖାଇବା ଯୋଗୁଁ ତାଙ୍କର ଲିଭର୍ ଖରାପ ହେଇଗଲା । ଝିଅର ଚିକିତ୍ସା ପାଇଁ ବାପା ସବୁ ସମ୍ପତି ବିକ୍ରି କରିସାରିଲେଣି । ଏବେ ଛତିଶଗଡ଼ର ବାଲାଜି ହସ୍ପିଟାଲରେରେ କମଳିନୀର ଲିଭର୍ ଟ୍ରିଟମେଣ୍ଟ ସହ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବା ଲାଗି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୮ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । ଝିଅ ଲାଗି ସମସ୍ତ ଜମିବାଡ଼ି ବିକି ସାରିବା ପରେ କାହ୍ନୁ ଏବେ ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ ଲାଗି ନିବେଦନ କରିଛନ୍ତି ।