କେମିତି ହୋଇଥିଲା ଅତିକ-ଅଶରଫର ହତ୍ୟା? ଘଟଣାସ୍ଥଳରେ ହେଲା ସିନ୍ ରିକ୍ରିଏସନ୍

203

କନକ ବ୍ୟୁରୋ: ଉତ୍ତର ପ୍ରଦେଶର ପ୍ରୟାଗରରେ ଗତ ଏପ୍ରିଲ ୧୫ ତାରିଖ, ରାତି ପ୍ରାୟ ସାଢ଼େ ୧୦ଟା ବେଳେ କୁଖ୍ୟାତ ମାଫିଆ ଅତିକ ଅହମ୍ମଦ ଓ ଅଶରଫକୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରୟାଗରାଜର କଲୱିନ ହସ୍ପିଟାଲକୁ ଅତିକ-ଅଶରଫକୁ ମେଡିକାଲ ଯାଞ୍ଚ ପାଇଁ ଅଣାଯାଇଥିଲା । ଆଉ ସେହି ସ୍ଥାନରେ ଉଭୟଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏବେ ସେହି ସ୍ଥାନରେ ପୁଣିଥରେ ପୂରା ଘଟଣାର ପୁନରାବୃତି କରାଯାଇଛି । ପୋଲିସ ଜିପ୍ରୁ ଅତିକକୁ ବାହାରକୁ ଆଣିବା ଠାରୁ ନେଇ ଶୁଟରଙ୍କ ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ପୂରା କ୍ରାଇମସିନ୍ ଏସଆଇଟି ଓ ଜୁଡିସିଆଲ କମିଶନ ଟିମର ଉପସ୍ଥିତିରେ ରିକ୍ରିଏଟ୍ କରାଯାଇଛି ।

ପ୍ରୟାଗରାଜର କଲୱିନ ହସ୍ପିଟାଲ ସାମ୍ନାରୁ ଆସୁଥିବା ଚିତ୍ରରୁ ଦେଖାଉଛି ଯେ, ଅତିକକୁ କିପରି ହତ୍ୟା କରାଯାଇଥିଲା । ସାମ୍ବାଦିକଙ୍କ ଭିଡ଼ ଭିତରେ ପଗଡ଼ି ପିନ୍ଧିଥିବା ଦୁଇଜଣ ବ୍ୟକ୍ତି । ହଠାତ୍ ପାଶ୍ୱର୍ରୁ କିଛି ଶୁଟର ମାଡ଼ି ଆସି ଅତିକ ଓ ଅଶରଫର ମୁଣ୍ଡକୁ ଗୁଳି ମାରିଥିଲେ । ଆଉ ଏହା ପରେ ତିନି ଆକ୍ରମଣକାରୀଙ୍କ ଆତ୍ମସମର୍ପଣ । ଏହି ପୂରା ଘଟଣା ପୁଲିସ ଅଧିକାରୀଙ୍କ ଦ୍ୱାରା କରାଯାଇଛି । ଏହି ଚିତ୍ର ଦର୍ଶାଉଛି ଯେ କ୍ରାଇମସିନ୍ କିପରି ରିକ୍ରିଏଟ୍ କରାଯାଏ । କିପରି ରାତିର ଅନ୍ଧାରରେ ହୋଇଥିବା ଘଟଣା, ଦିବାଲୋକରେ ପୁଣିଥରେ ନାଟକୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି ।

ଯେଉଁ ସ୍ଥାନରେ ଅତିକ ଓ ଅଶରଫର ହତ୍ୟା ହୋଇଥିଲା, ସେଠାରେ ପ୍ରଥମେ ପହଞ୍ଚିଥିଲା ବିଚାରବିଭାଗୀୟ ଆୟୋଗ ଟିମ୍ । ଏହା ପରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୂରା କ୍ରାଇମସିନ୍ ରିକ୍ରିଏଟ୍ କରାଯାଇଥିଲା । ତେବେ ଏସଆଇଟି ଓ ଜୁଡିସିଆଲ କମିଶନ ପାଖରେ ବଡ଼ ପ୍ରଶ୍ନ ଯେ,
– ପ୍ରଥମେ ଏଠାକୁ ଶୁଟର୍ସ ଆସିଥିଲେ ନା ଏମାନଙ୍କୁ କେହି ଆଣିଥିଲେ?
– ଅତିକ-ଅଶରଫ ଆସିବା ନେଇ କିପରି ଖବର ପାଇଲେ ଏହି ସୁଟର୍ସ?
– କିପରି ମିଡିଆକର୍ମୀ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ?
– ପୂର୍ବରୁ ଉପସ୍ଥିତ ଥିବା ମିଡିଆକର୍ମୀ ଶୁଟରମାନଙ୍କୁ କିପରି ଦେଖିପାରିଲେ ନାହିଁ?
– କ୍ରାଇମସିନରେ ସମସ୍ତେ ଧାର୍ମିକ ନାରାବାଜି କାହିଁକି ଲଗାଇଥିଲେ?

କ୍ରାଇମସିନ୍ ରିକ୍ରିଏଟ୍ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବାର ସମ୍ଭାବନା ରହିଛି । ତେବେ ଏହି ପୂରା ଘଟଣାକ୍ରମ ପାଇଁ ଅତିକର ସେହି ତିନି ହତ୍ୟାକାରୀଙ୍କୁ ଅଣାଯାଇନାହିଁ । ବର୍ତମାନ ତିନି ଅଭିଯୁକ୍ତ ଜେଲରେ ଅଛନ୍ତି । ହେଲେ ବର୍ତମାନ ଯେଉଁ ବଡ଼ କଥା ସାମ୍ନାକୁ ଆସିଛି ତାହା ହେଉଛି, ଅତିକ ଓ ଅଶରଫକୁ ହତ୍ୟା ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ କରାଯାଇଥିଲା । ଆଉ ଏହି ସ୍କ୍ରିପ୍ଟ ପଛରେ କାହାର ହାତ ରହିଛି, ତା’ର ତଦନ୍ତରେ ଲାଗିପଡ଼ିଛି ପୋଲିସ ।