ଫରେନସିକ୍ ଲ୍ୟାବରୁ କେମିତି ଗାଏବ ହୋଇଗଲା ମୃତ୍ୟୁ ମାମଲାର ଫାଇଲ? ପ୍ରଶ୍ନ ଉଠାଇଲେ ପରିବାର, ସିବିଆଇ ତଦନ୍ତ ଦାବି କଲେ ସଂପର୍କୀୟ ।

112

କନକ ବ୍ୟୁରୋ: ନୀଳଗିରିର ବହୁ ଚର୍ଚ୍ଚିତ ଶାନ୍ତିଲତା ହତ୍ୟାକାଣ୍ଡ ମାମଲାର ତଦନ୍ତ ରିପୋର୍ଟ ପୋଲିସ ହେପାଜତରୁ ହଜିଯିବା ପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଏହାକୁ ଏକ ଷଡଯନ୍ତ୍ର କହିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଶାନ୍ତିଲତାଙ୍କ ସ୍ୱାମୀ ଓ ଝିଅ ।

ଶାନ୍ତିଲତାଙ୍କର ମୃତ୍ୟୁକୁ ଏହା ଭିତରେ ପାଞ୍ଚ ବର୍ଷ ବିତି ଯାଇଥିଲେ ବି ମାକୁ ଝୁରି ହେଉଛି ଝିଅ ଋତୁପର୍ଣ୍ଣା । ମା’ର ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦିବା ଛଡା ବାଟ କିଛି ନାହିଁ । ହେଲେ, ମାକୁ ଯେଉଁମାନେ ହତ୍ୟା କରିଥିଲେ, ସେ ଏପର୍ଯ୍ୟନ୍ତ ଧରାନପଡିବା ତାଙ୍କୁ ବେଶି କଷ୍ଟ ଦେଇଛି । ଆଉ ଏତିକିବେଳେ ଫରେନସିକ୍ ଲାବରୁ ତାଙ୍କ ମାଙ୍କ ହତ୍ୟାକାଣ୍ଡ ମାମଲାର ଫାଇଲ ହଜିଯିବା ଆହୁରି କଷ୍ଟ ଦେଇଛି ।

  • ଫାଇଲ ଗାଏବ, ପ୍ରଶ୍ନ ଉଠାଇଲେ ପରିବାର
  • ସିବିଆଇ ତଦନ୍ତ ଦାବି କଲେ ସମ୍ପର୍କୀୟ

ପୋଲିସ ହେପାଜତରୁ ଶାନ୍ତିଲତାଙ୍କ ମର୍ଡର କେସର ଫାଇଲ ଗାଏବ ହୋଇଯିବାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ତାଙ୍କ ପରିବାର ଲୋକ । ଶାନ୍ତିଲତାଙ୍କ ସ୍ୱାମୀ ଓ ଝିଅ ଫାଇଲ ହଜିଯିବା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି । କାହାକୁ ବଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି । ରହସ୍ୟ ଉପରୁ ପରଦା ହଟାଇବା ପାଇଁ ମାମଲାରେ ଡିଜିପିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ।

  • ୧୩ ନଭେମ୍ବର ୨୦୧୭
  • ସ୍ଥାନ- କଦମ ସାହି, ନୀଳଗିରି

ଘର ଭିତରେ ଶାନ୍ତିଲତା ଏକୁଟିଆ ଥିବାର ସୁଯୋଗ ନେଇ କେହି ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ବ୍ୟାଙ୍କରେ ଚାକିିରି କରିଥିବା ସ୍ୱାମୀ ସନ୍ଧ୍ୟାରେ ଘରକୁ ଫେରିବା ପରେ ପତ୍ନୀଙ୍କ ମୃତ ଦେହ ଦେଖି ଆବାକ ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟାଇ ପାରିନଥିଲା । ସାଢ଼େ ତିନି ବର୍ଷ ପରେ ମାମଲା କ୍ରାଇମବ୍ରାଞ୍ଚକୁ ଯାଇଥିଲା । କ୍ରାଇମବ୍ରାଞ୍ଚର ଡିଏପି ନୀଳଗିରି ଆସି ଯାଞ୍ଚ କରିଥିଲେ । ତଦନ୍ତ କରି ସମସ୍ତ ତଥ୍ୟ ରାଜ୍ୟ ଫରେନସିକ୍ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲେ କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟ ଫରେନସିକ ଲାବକୁ ଯାଇଥିବା ଫାଇଲ ଏବେ ହଜି ଯାଇଛି । ଏନେଇ ଲ୍ୟାବ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

– ଏସଏଫଏସଏଲ ଭଳି ସମ୍ବେଦନଶୀଳ ଜାଗାରୁ ଫାଇଲ ଚୋରି ହେଲା କେମିତି?
– ହତ୍ୟାକାଣ୍ଡ ଫାଇଲ ବନ୍ଦ କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?
– କାହାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି କି?