ମାନସିକ ଚାପରୁ କିପରି ଡାକ୍ତରଙ୍କୁ ମିଳିବ ମୁକ୍ତି? ରାଜ୍ୟ ବାହାରେ ଦିଆଯିବ ପ୍ରଶିକ୍ଷଣ

151

କନକ ବ୍ୟୁରୋ : ଡାକ୍ତରଙ୍କ ପାଖରେ ରୋଗୀଙ୍କ ଲମ୍ବା ଲାଇନ । ରୋଗୀଙ୍କ ସମସ୍ୟା ବୁଝିବା ସହ ସୁସ୍ଥ ହେବା ପାଇଁ ଦେଉଛନ୍ତି ପରାମର୍ଶ । ଏହି ଦୃଶ୍ୟ ହେଉଛି ଭୁବନେଶ୍ୱର କ୍ୟାପିଟଲ ହସପିଟାଲର । ସରକାରୀ ହେଊ କି ବେସରକାରୀ ସବୁ ଡାକ୍ତରଖାନାରେ ସମାନ ଅବସ୍ଥା । କେଉଁଠି ରୋଗୀଙ୍କ ଲମ୍ବା ଲାଇନ ତ ପୁଣି କେଉଁଠି ଜଙ୍ଗଲ ପାହାଡ ଡେଇଁ ଅପହଁଚ ଇଲାକାରେ ରୋଗୀସେବା ପାଇଁ ଯାଉଛନ୍ତି ଡାକ୍ତରୀ ଦଳ । କାର୍ଯ୍ୟଚାପ ଯୋଗୁଁ ଅନେକ ସମୟରେ ଚାପଗ୍ରସ୍ତ ରହିଥାନ୍ତି ଡାକ୍ତର । ତେଣୁ ଡାକ୍ତରଙ୍କୁ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆପଣେଇଛି ନିଆରା ପ୍ରୟାସ । କେରଳ, ବେଙ୍ଗାଲୁରୁ, ଗୁଜରାଟର ଆର୍ଟ ଅଫ୍ ଲିଭିଂ ଆଶ୍ରମ ଏବଂ କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରକୁ ଯାଇଁ ପ୍ରଶିକ୍ଷଣ ନେବେ ଡାକ୍ତର । ଚାପ, ସମୟ ପରିଚାଳନା ଏବଂ ରୋଗୀଙ୍କ ପ୍ରତି ଆହୁରି ସହନଶୀଳ ହେବା ନେଇ ଡାକ୍ତରମାନେ ତାଲିମ ନେବେ ।

ରୋଗୀଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ଅଧିକ ଜାଣିବା ସହ କିପରି ରୋଗୀଙ୍କ ଅଧିକ ନିକଟତର ହୋଇପାରିବେ ସେନେଇ ଡାକ୍ତର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯାହା ଆଗାମୀ ଦିନରେ ଡାକ୍ତରମାନଙ୍କୁ ରୋଗୀସେବାରେ ସହାୟକ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧୦ଜଣ ଡାକ୍ତର ଏହି ପ୍ରଶିକ୍ଷଣ ପାଇବେ ।

ପ୍ରଶିକ୍ଷଣ ବାବଦକୁ ଆର୍ଟ ଅଫ ଲିଭିଂ ଆଶ୍ରମକୁ ୨୪ ଲକ୍ଷ ୯ ହଜାର ଟଙ୍କା ଓ ଇଶା ଯୋଗ ସେଂଟରକୁ ୪ ଲକ୍ଷ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ତେବେ ଡାକ୍ତରଙ୍କ ବିମାନ ଟିକଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡିଶା ପର୍ଯ୍ୟଟନ ନିଗମର ପରିଚାଳକଙ୍କୁ ଚିଠି ଲେଖାଯାଇଛି ।