ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ ।  ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

354

କନକ ବ୍ୟୁରୋ : ତାରିଖ ଅକ୍ଟୋବର ୨୬ । ସମୟ ସଂଧ୍ୟା ପାଖାପାଖି ୭ଟା । ବିନା ୟୁନିଫର୍ମରେ ଥାନାରେ ବସିଛନ୍ତି ମହିଳା ଆଇଆଇସି ମିନି ଭୋଇ ଏବଂ ତାଙ୍କ ପାଖରେ ଜଣେ ଛିଡା ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନ୍ଦିରରୁ ଚୋରି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ । ଥାନାରେ ଏକୁଟିଆ ଆଇଆଇସି ଥିଲେ ଏବଂ ନିଜ କାମ କରୁଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ ଆଇଆଇସିଙ୍କ ବେକରେ ବ୍ଲେଡ୍ ମାରିଥିଲା ଅଭିଯୁକ୍ତ । ଆଇଆଇସି ଛଟପଟ ହୋଇ ପଡିଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥାନାରେ ଆଇଆଇସି ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଏଭଳି ଏକ ଉନ୍ମତକାଣ୍ଡ ଘଟାଇଛି ।

ବିଶୋଇରେ ଥିବା ଏକ ମନ୍ଦିରର ହୁଣ୍ଡିବାକ୍ସ ଚୋରି ହୋଇଥିଲା । ପୁଲିସ ଏହି ମାମଲାରେ ତଦନ୍ତ କରି ସ୍ଥାନୀୟ ବାସିନ୍ଦା ସୁଶାନ୍ତ ଦେଓଙ୍କୁ ପଚରାଉଚରା କରିବାକୁ ଥାନାକୁ ଡାକିଥିଲା । ଏହି ସମୟରେ ଅଭିଯୁକ୍ତ ଦୋଷ ସ୍ୱୀକାର କରିବା ସହିତ ଅନ୍ୟମାନଙ୍କ ନାମ ପ୍ରକାଶ କରିଥିଲା । ଆଉ ଏହାପରେ ହଠାତ ସୁଶାନ୍ତ ବ୍ଲେଡରେ ଆକ୍ରମଣ କରିଥିଲା । ଯେଉଁଥିରେ ଆଇଆଇସିଙ୍କ ବେକ ସହିତ ହାତ କ୍ଷତାକ୍ତ ହୋଇଛି । ବଡକଥା ହେଉଛି ଆଇଆଇସିଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ହଡବଡେଇ ଯାଇଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି ।

କେଉଁ ଉଦ୍ଦେଶ୍ୟ ରଖି ଆଇଆଇସିଙ୍କ ବେକରେ ବ୍ଲେଡ ମାରିଥିଲା ଅଭିଯୁକ୍ତ ତାହାର ତଦନ୍ତ କରୁଛି ପୁଲିସ । ପୂର୍ବରୁ ଅନେକ ଚୋରି ମାମଲା ମଧ୍ୟ ଅଭିଯୁକ୍ତ ନାଁରେ ରହିଥିବା ଜଣାପଡିଛି ।