ଓଡିଶାରେ ମାଗଣା କ୍ଷୀର ବିକୁଛି ଆନ୍ଧ୍ର : ପ୍ୟାକେଟରେ ଅଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ

ପଡୋଶୀ ମାଟିରେ ଅଙ୍ଗନବାଡି ପିଲାଙ୍କୁ ଦିଆଯାଉଥିବା କ୍ଷୀର ପ୍ୟାକେଟକୁ ୪୦ ଟଙ୍କାରେ କିଣୁଛନ୍ତି କୋରାପୁଟ ପଟାଙ୍ଗୀ ଲୋକ

269

କନକ ବ୍ୟୁରୋ : ଓଡିଶାରେ ବିକ୍ରି ହେଉଛି ଆନ୍ଧ୍ରପ୍ରଦେଶର ମାଗଣା କ୍ଷୀର । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆନ୍ଧ୍ର ସରକାରଙ୍କ ମାଗଣା ଖୀର ବିକ୍ରି ହେଉଛି । ଜଗନମୋହନଙ୍କ ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶର ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ସେଥିରେ କ୍ଷୀର ଦିଆଯାଉଛି । ସେହି କ୍ଷୀର ଏବେ ରାଜ୍ୟ ସୀମା ଡେଇଁ ଓଡିଶାରେ ପହଂଚିଛି । ପଟାଙ୍ଗୀରେ ଆନ୍ଧ୍ର କ୍ଷୀର ବିକ୍ରି ହେଉଥିବା ବେଳେ ଏହି କ୍ଷୀର ପ୍ୟାକେଟ୍ ଉପରେ ବିକ୍ରି ପାଇଁ ନୁହେଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ପଟାଙ୍ଗି ବଜାରରେ ବେଧଡ଼କ ବିକ୍ରି ହେଉଥିବା ଗୋଟିଏ କ୍ଷୀର ପ୍ୟାକେଟ୍‌କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ଏହି କ୍ଷୀର ପ୍ୟାକେଟ୍‌ରେ ବିକ୍ରି ପାଇଁ ଆଦୌ ଉଦ୍ଦିଷ୍ଟ ନୁହଁ ବୋଲି ଉଲ୍ଲେଖ କରାଯାଇଛି । ତଥାପି ଏହାକୁ ଖୋଲା ବଜାରରେ ବିକ୍ରି କରାଯାଉଛି । ଗୋଟିଏ ଲିଟର ପ୍ୟାକେଟ୍‌କୁ ସ୍ଥାନୀୟ ବ୍ୟବସାୟୀ ୪୦ଟଙ୍କାରେ ବିକ୍ରି କରୁଛନ୍ତି । ଅନ୍ୟ କ୍ଷୀର ଦାମ ତୁଳନାରେ କମ ରହିଥିବାରୁ ଲୋକେ ବି କିଛି ଚିନ୍ତା ନ କରି ତାହାକୁ କିଣି ନେଉଛନ୍ତି । ଖୋଳତାଡ଼ କରିବାରୁ ଆନ୍ଧ୍ର ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି । ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରେ ମାଗଣାରେ କ୍ଷୀର ବି ମାଗଣାରେ ଯୋଗାଣ କରୁଛନ୍ତି ।

ତେବେ ତାହାକୁ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ଆଦୌ ବିତରଣ ନ କରି କିମ୍ବା ବଳକା ରହି ଯାଉଥିବା ପ୍ୟାକେଟ୍‌କୁ କିଛି ଅସାଧୁ ବ୍ୟବସାୟୀ ନିୟମିତ ସଂଗ୍ରହ କରୁଛନ୍ତି । ଏହାପରେ ଓଡ଼ିଶାକୁ ପଠାଇ ଖୋଲା ବଜାରରେ ବିକ୍ରି କରୁଛନ୍ତି । ବଡ଼ କଥା ହେଲା ଏହି କ୍ଷୀର କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ସେ ନେଇ ପ୍ୟାକେଟ୍‌ରେ ଉଲ୍ଲେଖ ହୋଇ ନାହିଁ । ତେଣୁ ଏହାକୁ ବ୍ୟବହାର କରିବା ଦ୍ବାରା ଯଦି କେହି ଅସୁସ୍ଥ ହୁଅନ୍ତି ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।