ଶୁଣ ସରକାର : ଦୁର୍ଘଟଣା ଓଲଟ ପାଲଟ କରିଦେଲା ଜୀବନ, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ସହାୟତା ଅପେକ୍ଷାରେ ପରିବାର

130

କନକ ବ୍ୟୁରୋ : ଦୁର୍ଘଟଣା ଦେଇଦେଲା ଦୁଃଖ । ଭାଙ୍ଗିଗଲା ଭବିଷ୍ୟତ, ଜୀବନ ଏବେ ଯନ୍ତ୍ରଣା ଜର୍ଜରିତ । ଟ୍ରକରେ ହେଲପର୍ କାମ କରୁଥିବା ଯୁବକର ଯେବେ ଦୁର୍ଘଟଣା ହେଲା ସେବେଠୁ ପରିବାର ପେଟକୁ ମିଳୁନି ମୁଠାଏ ଦାନା । ଦୁଇଗୁଣା ହୋଇଯାଇଛି ଦୁଃଖ । ରୋଗୀଣା ଶଯ୍ୟାରେ ପଡି ଲୁହ ଗଡାଉଛନ୍ତି ଲୋଚନ ।
ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କଣ୍ଟାପାଳ କଲୋନୀ-୪ର ଲୋଚନ ସିଂ । ବୟସ ୨୪ ବର୍ଷ । ଘରର ଗୋଟିଏ ମାତ୍ର ପୁଅ ହୋଇଥିବାରୁ ଘରର ପ୍ରତିପୋଷଣ ଦାୟିତ୍ୱ ଲୋଚନଙ୍କ କାନ୍ଧରେ ଥିଲା । ତେଣୁ ରୋଜଗାର ପାଇଁ ଟ୍ରକ୍ ହେଲଫର ଭାବେ ଲୋଚନ କାମ କରୁଥିଲେ । ଯାହାକିଛି ମିଳୁଥିଲା ସେତିକିରେ ଚଳି ଯାଉଥିଲେ । ସବୁକିଛି ଠିକଠାକ୍ ଚାଲିଥିବା ବେଳେ ଦଇବ ସାଜିଲା ଦାଉ । ଦିନେ ଗାଡିରେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଆଉ ପରିବାର ଉପରେ ଘୋଟିଗଲା ଦୁଃଖର କଳା ବାଦଲ ।
ଗାଡି ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଜିବା ପରେ, ଗାଡି ମାଲିକ ଲୋଚନଙ୍କ ଚିକିତ୍ସା କରିଥିଲେ କିନ୍ତୁ ସମ୍ପୂର୍ଣ୍ଣ ଚିକିତ୍ସା ନକରି ଅଧା ଚିକିତ୍ସାରେ ଘରେ ଛାଡିଦେଲେ । ଏବେ ଅର୍ଥ ଅଭାବରୁ ହୋଇପାରୁ ନାହିଁ ଚିକିତ୍ସା । ପ୍ରାୟ ୧ ବର୍ଷ ହେଲାଣି ଘରେ ଯନ୍ତ୍ରଣାରେ ଜର୍ଜରିତ ହୋଇ ଘରେ ଶଯ୍ୟାଶାୟୀ ଭାବେ ପଡିରହିଛନ୍ତି ଲୋଚନ ।
ସରକାରଙ୍କର ମାଳମାଳ ଯୋଜନା ଅଛି ସତ କିନ୍ତୁ ତାହା ଲୋଚନଙ୍କ ଭାଗ୍ୟରେ ନାହିଁ । ଲୋଚନଙ୍କ ପାଖରେ ଆଧାର କାର୍ଡ କି ରାସନ କାର୍ଡ କିଛି ନଥିବାରୁ ସେ କୌଣସି ସରକାରୀ ସୁବିଧା ପାଇ ପାରୁନାହାନ୍ତି । ଘର ନାହିଁ କି କିଛି ନାହିଁ ବଡ଼ କଷ୍ଟରେ ନିଜର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଉଛନ୍ତି । ଯାହାର ଖାଇବାକୁ ଗଣ୍ଡିଏ ନାହିଁ ଚିକିତ୍ସା କିଏ କରିବ । ବର୍ତ୍ତମାନ ସେ ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ତୁରନ୍ତ ସରକାର ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡିଛି । ଅନ୍ୟପଟେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ତାଙ୍କୁ ଯିଏ କାମରେ ଲଗାଇଥିଲେ ସେତୁରନ୍ତ ଚିକିତ୍ସା କରାଇବେ ଆଉ ସରକାରୀ ସ୍ତରରେ ମଧ୍ୟ ଚିକିତ୍ସା କରାଯିବ ।
ତେବେ ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ତରରେ… ଲୋଚନଙ୍କ ଚିକିତ୍ସା ନିହାତି ଦରକାର ।