ରାଜଧାନୀରେ ‘ଏନବିଡବ୍ଲୁ’ ଅଭିଯାନ: ଫେରାର ଅପରାଧୀଙ୍କ ଘରେ ଝୁଲୁଛି ଲଟକା

99

କନକ ବ୍ୟୁରୋ: ଫେରାର ଅପରାଧିଙ୍କୁ ବାନ୍ଧିବା ପାଇଁ ଆକ୍ସନ ମୋଡରେ ପୁଲିସ । କମିଶନରେଟ ପୁଲିସ ଅଧିନରେ ଏନବିଡବ୍ଲୁ ଡ୍ରାଇଭକୁ ଜୋରଦାର କରାଯାଇଛି । ଫେରାର ଅପରାଧିଙ୍କୁ ବାନ୍ଧିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହ ଅଭିଯୁକ୍ତଙ୍କ ଘରେ ପହଂଚି ଲଟକା ଜାରି କରିଛି ପୁଲିସ । ନିର୍ବାଚନରେ ଯେପରି କଳାଟଙ୍କା କାରବାର ନହେବ ସେନେଇ ମଧ୍ୟ କମିଶନରେଟ ପୁଲିସ କଡ଼ା ନଜର ରଖିଛି ।

ରାଜଧାନୀ ଛାଡ ନହେଲେ ଅପରାଧ ଛାଡ । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ବଡ଼ ପଦକ୍ଷେପ ନେଇଛି କମିସନରେଟ୍ ପୁଲିସ । ନିର୍ବାଚନ ବେଳେ ଅପରାଧୀମାନେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନପାରିବେ ସେମାନଙ୍କୁ ସାବାଡ କରିବା ପାଇଁ ଯୋଜନା କରିଛି । ଦାଗୀଙ୍କୁ ଚିହ୍ନଟ କରି ଜେଲରେ ଭର୍ତି କରିବା ଠାରୁ ଆରମ୍ଭ କରି, ଅଭ୍ୟାସଗତ ଅପରାଧୀଙ୍କୁ ତଡିପାର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏହାରି ଭିତରେ ଦାଗୀଙ୍କୁ ଗିରଫଦାରୀ ଏବଂ ଏନବିଡବଲ୍ୟୁ ଡ୍ରାଇଭ ଆରମ୍ଭ ହୋଇଛି । ଏନବିଡବଲ୍ୟୁ ବା ଜାମିନ ବିହିନ ଗିରଫ ପରୱାନା ଜାରି ହୋଇଥିବା ଅପରାଧୀ ପୁଲିସକୁ ଧରାଛୁଆଁ ଦେଉ ନାହାନ୍ତି କିମ୍ବା କୋର୍ଟ କିମ୍ବା ପୁଲିସ ପାଖରେ ଆତ୍ମ ସମର୍ପଣ କରୁନାହାନ୍ତି । ସେହି ଅପରାଧୀମାନଙ୍କ ଦୁଆର ମୁହଁରେ ଲଟକା ଝୁଲାଇଛି କମିସନରେଟ ପୁଲିସ ।

ନିର୍ବାଚନରେ ଯେପରି କଳାଟଙ୍କା କାରବାର ନହେବ ସେନେଇ କମିଶନରେଟ ପୁଲିସ କଡା ନଜର ରଖଛି । ଗତ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନା ୩ ଲକ୍ଷ ୬୦ ହଜାର ଜବତ କରିଥିବା ବେଳେ, ଗୁରୁବାର ରାତିରେ ନାକା ବେଳେ ନନ୍ଦନକାନନ ପୁଲିସ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ନିୟମ ଅନୁସାରେ ଆଚରଣବିଧି ଲାଗୁ ସମୟରେ ଜଣେ ବ୍ୟକ୍ତି ୫୦ ହଜାରରୁ ଅଧକ ନଗଦ ଟଙ୍କା ନେବା ଆଣିବା କରି ପାରିବେ ନାହିଁ । ଅଧିକ ଟଙ୍କା କାରବାର କରୁଥିଲେ ଚେକିଂ ବେଳେ ସନ୍ତୋଷ ଜନକ ଉତର ରଖିବାକୁ ବାଧ୍ୟ ।

ଏପଟେ ଯେଉଁମାନେ ଲଟକା ଜାରି କରାଗଲା ପରେ ବି ଆତ୍ମସମର୍ପଣ କରିବେ ନାହିଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ୮୨ ସିଆରପିସିର ଧାରା ଅନୁଯାୟୀ ପରବର୍ତୀ ସମୟରେ ସେମାନଙ୍କୁ ପଳାତକ ଘୋଷଣା କରା ଯାଇପାରିବ । ଏହାପରେ ୮୩ ସିଆରପିସି ଅନୁସାରେ ସେମାନଙ୍କ ସଂପତି ବ୍ୟାଜ୍ୟାପ୍ତି କରିବାର ନିୟମ ରହିଛି ।