ଇସ୍ତଫା ଦେଲେ କଂଗ୍ରେସ ଟିକେଟରୁ ୧୧ ଥର ବିଧାୟକ ହୋଇଥିବା ଏହି ନେତା, ଏବେ ଧରିପାରନ୍ତି ବିଜେପି ହାତ !

341

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଛୋଟା ଉଦୟପୁରରୁ କଂଗ୍ରେସ ଟିକେଟରୁ ୧୧ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ସିଂ ରାଠୱା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । କୁହାଯାଉଛି କି, ରାଠୱା ଅନେକ ଦିନ ହେବ ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ୍ଟ ଥିଲେ । ଏହାସହ ମେ ମାସରେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଏକ ବୟାନ ଦେଇଥିଲେ ।

ଆଜି ଇସ୍ତଫା ଦେବା ପରେ ରାଠୱା କହିଛନ୍ତି କି ବୟସାଧିକ କାରଣରୁ ସେ ଇସ୍ତଫା ଦେଇ ଯୁବପୀଢିଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି । ସେପଟେ ଆଲୋଚନା ହେଉଛି କି ମୋହନ ସିଂ ରାଠୱା ତାଙ୍କ ପୁଅ ରାଜେନ୍ଦ୍ର ସିଂ ରାଠୱାଙ୍କୁ ପ୍ରାର୍ଥୀ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆଦିବାସୀ ବହୁଳ ଛୋଟା ଉଦୟପୁର ରାଜନୀତିରେ କଂଗ୍ରେସର ପଲ୍ଲା ସବୁବେଳେ ଭାରି ରହିଛି । ଏଠାରେ ଦଳର ମୋହନ ସିଂ ରାଠୱା, ନାରାୟଣ ରାଠୱା ଓ ସୁଖରାମ ରାଠୱା ଦଳକୁ ମଜବୁତ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି । ହେଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମୋହନ ସିଂ ରାଠୱା ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସର ଏହି ଗଡ ଭାଙ୍ଗିପାରେ ବୋଲି ଆକଳନ କରାଯାଉଛି ।