ବିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ! ମହିଳା ଅଧିକାରୀ ଆଣିଲେ ର୍ଦୁବ୍ୟବହାର ଅଭିଯୋଗ, ଜବାବ ରଖିଲେ ରାଜ୍ୟପାଳ ।

310

କନକ ବ୍ୟୁରୋ: ବିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ମହିଳା ଅଧିକାରୀ ଆଣିଲେ ର୍ଦୁବ୍ୟବହାର ଅଭିଯୋଗ । ଜବାବ ରଖି ବୋଷ କହିଲେ ଅଭିଯୋଗ ମିଛ, ସତ୍ୟର ହେବ ଜୟ । ପଶ୍ଚିମବଂଗ ରାଜ୍ୟପାଳଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ରାଜଭବନରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ପୀଡିତା ଜଣଙ୍କ ଥାନାରେ ପହଁଚି ମାମଲା ଦାୟର କରିଛନ୍ତି, ଚାକିରୀ କରାଇଦେବା ନାଁରେ ରାଜ୍ୟପାଳ ବାରମ୍ବାର ଅସଦାଚରଣ କରିଥିବା ମହିଳା ଜଣକ ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ତେଜିଛି ପଶ୍ଚିମବଙ୍ଗ ରାଜନୀତି, ଶାସକ ଦଳ ତୃଣମୂଳ କଂଗ୍ରେସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମହିଳା କର୍ମଚାରୀଙ୍କ ସମର୍ଥନରେ ବାହରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ସତରେ ଯଦି ନାରୀ ସମ୍ମାନରେ ବିଶ୍ୱାସ ରଖନ୍ତି, ତେବେ ଅଭିଯୋଗ ଆଣିଥିବା ମହିଳାଙ୍କୁ ନ୍ୟାୟ ସୁନିଶ୍ଚିତ କରାନ୍ତୁ ବୋଲି ଟିଏମସି ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ରାଜ୍ୟପାଳ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇ ମତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି । ନିର୍ବାଚନ ଫାଇଦା ପାଇଁ ଯଦି ଶାସକ ଦଳ ଏଭଳି କରୁଥାଏ, ତେବେ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ପଶ୍ଚିମବଂଗରେ ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇକୁ ଏଭଳି ମିଥ୍ୟା ଅଭିଯୋଗ ଅଟକାଇ ପାରିବ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି ।

ଯୌନ ନିର୍ଯ୍ୟାତନା ଅଭିଯୋଗ ପ୍ରସଙ୍ଗରେ ରାଜ୍ୟପାଳ ସିଭି ଆନନ୍ଦବୋଷଙ୍କ ସମର୍ଥନରେ ବାହାରିଛି ବିଜେପି । ପୂର୍ବତନ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହାକୁ ଟିଏମସିର ରାଜନୀତି ବୋଲି କହିଛନ୍ତି । ମମତା ସରକାର ନୀଚ ରାଜନୀତି କରୁଥିବା ବେଳେ ସାମ୍ବିଧାନିକ ପଦକୁ ଅପମାନ କରିବାକୁ ମଧ୍ୟ ପଛାଉ ନଥିବା କହିଛନ୍ତି । ଅଭିଯୋଗର ସଠିକ୍ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଗତ କିଛି ଦିନ ହେବ ମହିଳା ଅସଦାଚରଣ ଭଳି ବିଷୟ ପଶ୍ଚିମବଙ୍ଗ ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସନ୍ଦେଶଖାଲି ମହିଳା ନିର୍ଯ୍ୟାତନା ମାମାଲରେ ଟିଏମସିରୁ ବହିଷ୍କୃତ ନେତା ଶେଖ ଶାହାଜାହାଁନ ଏବେ ଜେଲରେ ଥିବା ବେଳେ ମହିଳା ଅସଦାଚରଣ ପ୍ରସଙ୍ଗରେ ରାଜ୍ୟପାଳ ମଧ୍ୟ ବିବାଦକୁ ଆସିଛନ୍ତି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ନିମନ୍ତେ ପଶ୍ଚିମବଙ୍ଗ ଗସ୍ତରେ ଆସି ଟିଏମସି ବିରୋଧରେ ଗର୍ଜିଛନ୍ତି ।