୨୦୧୯ ମସିହା, ମେ’ ୩ ତାରିଖ: ଛାରଖାର କରିଦେଇଥିଲା ବାତ୍ୟା ‘ଫନି’

676

କନକ ବ୍ୟୁରୋ: ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୧୮ ବିଭାଗ ଓ ସଂସ୍ଥାର ପ୍ରମୁଖଙ୍କ ସହ ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି । ଏନେଇ ବିଭିନ୍ନ ବିଭାଗକୁ ସେ ନିର୍ଦ୍ଦେଶ ଦେବା ସହ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ବାତ୍ୟା ପରବର୍ତି ସମୟରେ ବିଦ୍ୟୁତ ସରବାରହ ବିଛିନ୍ନ ଓ ତା’ର ରିଷ୍ଟୋରେସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।

ମେ’ ମାସ ଆସିଲେ, ଲୋକଙ୍କ ମନରେ ବଡ଼ ଭୟ ସୃଷ୍ଟି କରିଥାଏ ବାତ୍ୟା । ଠିକ୍ ୫ ବର୍ଷ ତଳେ ଓଡ଼ିଶାବାସୀ ଦେଖିଥିଲେ ‘ଫନି’ ବାତ୍ୟାର କରାଳ ରୂପ । ବିଶେଷକରି ଉପକୂଳରେ ଖୁବ୍ ତାଣ୍ଡବ ରଚିଥିଲା ଫନି । ଆଉ ମେ’ ମାସ ଆସିଲା ମାତ୍ରକେ ଲୋକଙ୍କ ମନରେ କେଉଁଠି ନା କେଉଁଠି ସେହି ଭୟ ରହୁଛି । ତେବେ ବାତ୍ୟା ଆସିଲେ କେମିତି ତାର ମୁକାବିଲା କରିବେ, ସେ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରସ୍ତୁତି ବୈଠକ । ବୈଠକରେ ରାଜ୍ୟ ସରକାରଙ୍କର ପ୍ରାୟ ୧୮ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ସଂସ୍ଥାର ପ୍ରମୁଖ ମାନେ ଯୋଗଦେଇଥିଲେ । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା ।

– ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର
– ପାନୀୟ ଜଳ ଯୋଗାଣ
– ଆବଶ୍ୟକୀୟ ଔଷଧ, ଆମ୍ବୁଲାନ୍ସ ସହ ଜରୁରୀକାଳୀନ ଚିକିତ୍ସା
– ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁ ସମ୍ପଦ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସମ୍ପଦ, ଜଂଗଲ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଓଡିଶାରେ ହୋଇଥିବା ଭୟଙ୍କର ବାତ୍ୟାକୁ ମୁକାବିଲା କରିବାରେ ଓଡିଶା ବେଶ ସଫଳ ହୋଇଛି । ଏଥିପାଇଁ ଅନ୍ୟ ରାଜ୍ୟ ଓଡିଶାକୁ ରୋଲ ମଡେଲ ଭାବେ ଗ୍ରହଣ କରିଥିବା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ସହଦେବ ସାହୁ । ତେବେ ବାତ୍ୟା ପରବର୍ତୀ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବିଦ୍ୟୁତ ରିଷ୍ଟୋରେସନ କାର୍ଯ୍ୟ । କିନ୍ତୁ ଏ କ୍ଷେତ୍ରରେ ଓଡିଶା ବିଶେଷ ସଫଳତା ପାଇ ନାହିଁ ବୋଲି ଅଭିଯୋଗ ହୋଇଛି । ସାମାନ୍ୟ କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀ ବିଦ୍ୟୁତ କଷ୍ଟରେ ହନ୍ତସନ୍ତ ହୋଇଥିବା ନଜିର ରହିଛି । ତେଣୁ ସରକାର ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

୨୦୧୩ ମସିହାରୁ ବାରମ୍ବାର ବାତ୍ୟାର ଦ୍ୱାରା ପ୍ରଭାବିତ ହେଉଛି ଓଡ଼ିଶା । ତେବେ ଚଳିତ ବର୍ଷ ରାଜ୍ୟରେ ପ୍ରାକ ବାତ୍ୟା ପ୍ରସ୍ତୁତି ପରବର୍ତି ସମୟରେ କେତେ ସଫଳ ହେବ ତାହା ସମୟ ଉପରେ ନିର୍ଭର କରୁଛି ।