ଲଘୁଚାପ ବର୍ଷାରେ ଭାସିଲା ପୁରୀ ବଡଦାଣ୍ଡ । ଲଗାଣ ବର୍ଷା ଯୋଗୁଁ ବଡଦାଣ୍ଡରେ ଲହଡି ମାରୁଛି ପାଣି ଆଣ୍ଠୁଏ ଉଚ୍ଚର ପାଣି

50

କନକ ବ୍ୟରୋ : ଲଘୁଚାପ ବର୍ଷାରେ ଭାସୁଛି ପୁରୀ ବଡଦାଣ୍ଡ । ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ବଡଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି । ମେଡିକାଲ ଛକରେ ରାସ୍ତା ଉପରେ ୨ଫୁଟ ଉଚ୍ଚର ପାଣି ଚାଲୁଛି । ଏପରିକି ରାସ୍ତା ମଝିରେ କାରଗୁଡିକ ପାଣିରେ ଭାସୁଥିବା ଦେଖାଯାଉଛି । ଏବେ ବି ବର୍ଷା ଲାଗି ରହିଛି । ପୁରୀରେ ସର୍ବାଧିକ ୨୩୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରିଛି ପାଣିପାଗ ବିଭାଗ । ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୨୩୬ ମିିଲିମିଟର, ଭୂବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ହୋଇଥିବା ସହ ଚାନ୍ଦବାଲିରେ ୪୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି ।

ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଥିଲେ ମଧ୍ୟ କୈାଣସି ବିପଦ ସଙ୍କେତ ପାଣିପାଗ ବିଭାଗ ଦେଇନାହିଁ । ତେବେ ଆସନ୍ତାକାଲି ଠାରୁ ବର୍ଷା କମିପାରେ ବୋଲି ଆକଳନ କରାଯାଇଛି । ୧୦ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ପଶ୍ଚିମବଂଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।