ଲଗାଣ ବର୍ଷା ପରେ ପ୍ରମୁଖ ନଈରେ ବଢ଼ୁଛି ଜଳସ୍ତର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର, ଉପୁଜିପାରେ ବର୍ଷା ପରିସ୍ଥିତି

62

କନକ ବ୍ୟୁରୋ: ଲଗାଣ ବର୍ଷା ପରେ ପ୍ରମୁଖ ନଈରେ ବଢ଼ୁଛି ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଛି । ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ମଥାନିଠାରେ ବିପଦ ସଂକେତ ୫ଦଶମିକ୍ ମିଟର ଥିବାବେଳେ ରାତି ୮ଟା ସୁଧା ୫ଦଶମିକ୍ ଛଅ ପାଂଚ ମିଟରରେ ପ୍ରବାହିତ ହେଉଛି ।

ଘୂର୍ଣ୍ଣିବଳୟ ଲଘୁଚାପ ରୂପନେଇ ସାରିଥିବାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ଅନୁମାନ କରୁଥିବାରୁ ନଦୀର ଜଳସ୍ତର ଆହୁରି ଅଧିକ ବଢ଼ିବା ସହିତ ବନ୍ୟାର ଆଂଶଙ୍କା କରାଯାଉଛି ।

ସେପଟେ, ସୋମବାର ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪ ଫୁଟ୍ ଛୁଇଁଛି । ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୪.୫୦ ଫୁଟରେ ପହଂଚିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨୨,୮୩୭ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩୦,୮୬୩ କ୍ୟୁସେକ ନିଷ୍କାସିତ ହେଉଥିଲା। ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ୧୫,୧୫୧ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି କେନାଲଗୁଡ଼ିକରେ ୪,୫୪୯ କ୍ୟୁସେକ ଓ ପାଓ୍ଵାର ଚାନେଲରେ ୧୧,୧୬୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାର ଉପର ମୁଣ୍ଡରେ ୧.୫୯ ମିମି ଓ ତଳମୁଣ୍ଡରେ ୦.୨୩ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।