ଖରା ଦାଉରୁ ଶୀଘ୍ର ମିଳିବନି ମୁକ୍ତି : ପାଣିପାଗ ବିଭାଗର ଆକଳନ, ଜାରି ରହିବ ହିଟ୍ ୱେଭ୍; ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

154

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପୂର୍ବାନୁମାନ କରିଛି ଯେ ଆହୁରି ୫ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ୟୁପି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପାଣିପାଗ ବିଭାଗ ଆହୁରି ଆକଳନ କରିଛି ଯେ, ମେ’ ପ୍ରଥମ ସପ୍ତାହ ଶେଷ ଯାଏଁ ଏହି ପରିସ୍ଥିତି ଲାଗି ରହିପାରେ । ମଧ୍ୟପ୍ରଦେଶ ଓ ଉତରପ୍ରଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଯାଇଛି । ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ କଲବଲ କରିଦେଇଛି । ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଟିକେ ଆଶ୍ୱସ୍ତି ପାଇଛନ୍ତି ।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ଏହାପରେ ମେ’ ପହିଲାରୁ କାଳବୈଶାଖୀ ବର୍ଷା ଏହି ଗ୍ରୀଷ୍ମପ୍ରବାହରେ ବିରତି ଲଗାଇବ । ଆସନ୍ତାକାଲି ଓ ୩୦ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ‌ରେ ଶିଶୁ, ବୟସ୍କ ଓ‌ ରୋଗୀଙ୍କୁ ଖରାକୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଅଂଶୁଘାତରୁ ଦୂରେଇ ରହିବାକୁ ଖରାକୁ ବାହାରିବାକୁ ବାରଣ କରାଯାଇଛି । ସେହିଭଳି ଆଖୁ, ଡାଲିଜାତୀୟ ଓ ମକା ଆଦି ଫସଲରେ ଜଳସେଚନ ଜାରି ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।