ରାମରହିମଙ୍କ ପରେ ଆଜି ରାମପାଲଙ୍କ ପାଳି ! ୧୧ବର୍ଷ ପରେ ହତ୍ୟା ମାମଲାରେ ହୋଇପାରେ ଶୁଣାଣୀ

43

କନକ ବ୍ୟୁରୋ : ରାମଙ୍କ ପରେ ପୁଣି ରାମଙ୍କ ପାଳି । ବଳାକ୍ରାର ମାମଲାରେ ବାବା ରାମ ରହିମଙ୍କୁ ୨୦ବର୍ଷ ଦଣ୍ଡାଦେଶ ହେବା ପରେ ଆଜି ହରିୟାନାର ଆଉ ଜଣେ ଆତ୍ମଘୋଷିତ ବାବା ସନ୍ଥ ରାମପାଲଙ୍କ ବିରୋଧରେ ଆଜି ରାୟ ପ୍ରକାଶ ପାଇପାରେ । ପ୍ରାୟ ୧୧ବର୍ଷ ତଳର ଏକ ହତ୍ୟା ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ ମୁକେଶ କୁମାର ଆଜି ଏନେଇ ରାୟ ପ୍ରକାଶ କରିବା ସମ୍ଭାବନା ରହିଛି । ୨୦୦୬ରେ ରାମପାଲ ଆର୍ଯ୍ୟସମାଜକୁ ସମାଲୋଚନା କରିବା ପରେ ଏହାକୁ ନେଇ ରୋହତକରେ ଆର୍ଯ୍ୟସମାଜ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ରାମପାଲଙ୍କ ସମର୍ଥକଙ୍କ ଆକ୍ରମଣରେ ଜଣେ ଆର୍ଯ୍ୟସମାଜ କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ରାମପାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରିଥିଲା ପୁଲିସ । ସେ ୨୦୦୮ରେ ଜାମିନରେ ଆସିଥିଲା । କିନ୍ତୁ ପରେ ୪୩ଥର ସମନ ପରେ ବି ରାମପାଲ ଆଉ କୋର୍ଟରେ ହାଜର ହୋଇନଥିଲେ । ୨୦୧୪ରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରୀ କରିଥିଲେ ହାଇକୋର୍ଟ । ହିସାରସ୍ଥିତ ସତଲୋକ ଆଶ୍ରମରେ ପୁଲିସ ତାଙ୍କୁ ଗିରଫ କରିବାକୁ ଯାଇଥିବା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଓ ବାବାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ବାବାଙ୍କ ଆଶ୍ରମରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିଲା । ସେବେଠାରୁ ସେ ଦେଶଦ୍ରୋହ ମାମଲାରେ ହିସାର ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ମଧ୍ୟ ରହିଛି । ତେବେ ଆଜି ଏନେଇ କୋର୍ଟ ରାୟ ଶୁଣାଇପାରନ୍ତି ।