ବଦଳିବ ବିଜୁଳୀ ମିଟର ! ଏଣିକି ଆଗ ପଇସା, ପରେ ବିଜୁଳୀ ବ୍ୟବହାର କରିବେ ଗ୍ରାହକ
ଜାଣିଶୁଣି ବିଦ୍ୟୁତ୍ କାଟ୍ କଲେ କଂପାନୀ ବିରୋଧରେ ଲାଗିପାରେ ଜରିମାନା
ମାସ ସାରା ବିଜୁଳି ବ୍ୟବହାର କରିବା ପରେ ଶେଷରେ ବିଲ୍ ପୈଠ କରୁଥିଲେ ଉପଭୋକ୍ତା। ଆଗକୁ କିନ୍ତୁ ଆଗୁଆ ପଇସା ପୈଠ କରିବାକୁ ପଡିବ, ତା ଉପରେ ବିଦ୍ୟୁତ ବ୍ୟବହାର କରିବେ ଗ୍ରାହକ। ସେଥିପାଇଁ ମିଟର ବଦଳିପାରେ। କେବଳ ସେତିକି ନୁହେଁ, ଦିନର ବିଭିନ୍ନ ସମୟରେ ବିଜୁଳି ବ୍ୟବହାର ପାଇଁ କଂପାନି ଭିନ୍ନ ଭିନ୍ନ ଦେୟ ଆଦାୟ କରିବେ। ସବୁ ଘରକୁ ବିଜୁଳି ସଂଯୋଗ ପରେ ଏବେ ଏ କ୍ଷେତ୍ରରେ ଏଭଳି କିଛି ସଂସ୍କାର ମୂଳକ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାର ପାଗ ଭି଼ଡିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଆଗାମୀ ଦିନରେ ବିଦ୍ୟୁତ ବ୍ୟବସ୍ଥାରେ ଯେ ଏକ ବଡ଼ ଧରଣର ପରିବର୍ତନ ହେବ, ତାହାର ସଙ୍କେତ ମିଳିଲାଣି। ବିଦ୍ୟୁତ ଶୁଳ୍କ ଅନାଦେୟ ରଖିବା େରାଗ ଯେଭଳି ବ୍ୟାପୁଛି, ହୁକ ପକାଇ ବିଜୁଳି ଚୋରି କରିବା ମଧ୍ୟ ବନ୍ଦ ହେଉନାହିଁ। କେବଳ ସେତିକି ନୁହେଁ, ମିଟରିଂ ଓ ମାସିକ ବିଲିଂ କ୍ଷେତ୍ରରେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଲାଣି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏବେ ବଣ୍ଟନ କମ୍ପାନି ଗୁଡ଼ିକୁ ସ୍ମାର୍ଟ ପ୍ରିପେଡ୍ ମିଟର ଲଗାଇବାକୁ ଅନୁମତି ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଏହି ସ୍ମାର୍ଟ ମିଟର ବ୍ୟବହାର ଦ୍ବାରା ଦିନର ଭିନ୍ନ ଭିନ୍ନ ସମୟରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ହାରର ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ୍ ସକାଳେ ୧ ୟୁନିଟ୍ ବିଜୁଳି ବ୍ୟବହାର ପାଇଁ ଯେତିକି ଶୁଳ୍କ ଆଦାୟ କରାଯିବ, ଖରାବେଳେ, ସଂଧ୍ୟାବେଳେ ଏବଂ ରାତିରେ ତାହା ଅଲଗା ରହିବ। ଏତଦବ୍ୟତୀତ ପ୍ରିପେଡ୍ ମୋବାଇଲ ଫୋନ ଭଳି ବିଜୁଳି ଜାଳିବା ପାଇଁ ଆଗୁଆ ପଇସା ଜମା କରିବାକୁ ପଡ଼ିବ।
ଫଳରେ ବିଜୁଳି ବ୍ୟବହାର ପରେ ଗ୍ରାହକଙ୍କ ବିଲ୍ ଆଉ ବାକି ରହିବ ନାହିଁ। ଏଥିସହିତ ବଣ୍ଟନ କମ୍ପାନି ଗୁଡ଼ିକ ମଧ୍ୟ ଆଗୁଆ ପଇସା ଆଦାୟ କରିବାକୁ ସକ୍ଷମ ହେବେ। ମୁଖ୍ୟତଃ ବିଦ୍ୟୁତ୍ ବଣ୍ଟନ କମ୍ପାନି ଗୁଡ଼ିକର ଋଣ ବୋଝ ହ୍ରାସ କରିବା ଲାଗି ଉଦୟ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଥିଲା। ବିଜୁଳି ଚୋରିକୁ ରୋକିବା ପାଇଁ କଠୋର ନୀତି ଗ୍ରହଣ କରାଯିବ। ଅସାଧୁ ଲୋକମାନେ ଯେଭଳି ହୁକ ପକାଇ ବିଜୁଳି ଚୋରି କରି ନପାରିବେ ସେଥିପାଇଁ ବିଦ୍ୟୁତ୍ ତାର ଗୁଡ଼ିକୁ ଖୁଣ୍ଟରେ ଟଣାଯିବା ବେଳେ ସେଗୁଡ଼ିକୁ କେବୁଲ୍ ଭିତରେ ରଖାଯିବ। ବିଜୁଳି ଚୋରିକୁ ରୋକିବା ପାଇଁ ସରକାର ଅଧିକ ସ୍ବତନ୍ତ୍ର ବିଜୁଳି ଥାନା ଖୋଲିବେ। ନୂଆ ନୀତିରେ ଯଦି ଜାଣିଶୁଣି ଲୋଡ୍ ସେଡିଂ କରାଯାଏ ବା ବିଦ୍ୟୁତ କାଟ୍ କରାଯାଏ ତାହେଲେ କମ୍ପାନି ଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ। ରାଜ୍ୟ ବିଦ୍ୟୁତ୍ ନିୟାମକ ଏ ନେଇ ୬ ମାସେ କିମ୍ବା ବର୍ଷେ ସମୟ କୋହଳ କରିପାରନ୍ତି। ସେହିଭଳି ଜରିମାନା ପରିମାଣ କେତେ ରହିବ ତାହା ମଧ୍ୟ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଦ୍ବାରା ଧାର୍ଯ୍ୟ ହେବ। ୧୫ ପ୍ରତିଶତରୁ ଅଧିକ ବଣ୍ଟନ ଜନିତ କ୍ଷତିକୁ ବଣ୍ଟନ କମ୍ପାନି ଗୁଡ଼ିକ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ।