ଗଞ୍ଜାମ ରାଜନୀତିରେ ପଟ୍ଟପରିବର୍ତ୍ତନ ! ହାତ ଛାଡି ଶଙ୍ଖ ଧରିବେ ଦକ୍ଷିଣ ଓଡିଶାର ହେବିୱେଟ୍ ନେତା ଚନ୍ଦ୍ରଶେଖର

61

କନକ ବ୍ୟୁରୋ: ଦକ୍ଷିଣ ଓଡିଶାର ହେବିୱେଟ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବେ । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ରହ୍ମପୁରରେ ହେବ ବିଶାଳ ମିଶ୍ରଣ ପର୍ବ । ଯେଉଁଥିରେ ଚନ୍ଦ୍ରଶେଖର ସାହୁଙ୍କ ସହ ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ବିଜେଡିରେ ମିଶିବା ସମ୍ଭାବନା ରହିଛି ।

ଚନ୍ଦ୍ରଶେଖର ସାହୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ । ୟୁପିଏ ସରକାର ଅମଳରେ ୪ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଥିଲେ ଚନ୍ଦ୍ରଶେଖର । ମିଳିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଚନ୍ଦ୍ରଶେଖର ସାହୁ । ଦୁଇ ଦୁଇ ଥରର ବ୍ରହ୍ମପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ । ଦଳ ଛାଡିବାକୁ ନିଷ୍ପତି ନେବା ପରେ ଚନ୍ଦ୍ରଶେଖର ସାହୁ ଖୋଲାଖୋଲି କଂଗ୍ରେସର କାର୍ଯ୍ୟଶୈ÷ଳୀ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚନ୍ଦ୍ରଶେଖରଙ୍କ ସହ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଓ ପିସିସି ସାଧାରଣ ସମ୍ପାଦକ ତଥା ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ବି ବିଜେଡି ଶିବିରରେ ଯୋଗ ଦେଉଛନ୍ତି । ୧୦ ବର୍ଷ ଧରି ଜିଲ୍ଲା ସଭାପତି, ୬ ଥର କାଉନସିଲର ଓ ଉପନଗରପାଳ ରହିଥିବା ଭଗବାନ ଗନ୍ତାୟତ ମଧ୍ୟ ରାଜ୍ୟରେ କଂଗ୍ରେସର କାର୍ଯ୍ୟକଳାପ ଓ ସ୍ଥିତି ନେଇ ଅସନ୍ତୁଷ୍ଟ ଅଛନ୍ତି ।

ତେବେ ଚନ୍ଦ୍ରଶେଖର ବିଜେଡିରେ ଯୋଗ ଦେବା ପୂର୍ବରୁ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

.. ଚନ୍ଦ୍ରଶେଖରଙ୍କୁ ମିଳିବ କି ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ଟିକେଟ୍ ?

.. ଯଦି ଚନ୍ଦ୍ରଶେଖରଙ୍କୁ ଲୋକସଭା ପ୍ରାର୍ଥୀ କରାଯାଏ ତେବେ ସିଦ୍ଧାନ୍ତ ଯିବେ କୁଆଡେ?

.. ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିକ୍ରମ ପଣ୍ଡାଙ୍କୁ ମିଳିପାରେ କି ଟିକେଟ୍?

.. ଅସୁସ୍ଥତା କାରଣରୁ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ବିଶ୍ରାମ ଦିଆଯିବ କି?