ଗଞ୍ଜେଇ ଚୋରାଚାଲାଣରେ ଅବକାରୀ କର୍ମଚାରୀ : ୮୦୦ରୁ ଅଧିକ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ

91

କନକ ବ୍ୟୁରୋ : କୋରାପୁଟରୁ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ । ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ସୁଙ୍କି ପୁଲିସ । କୋରାପୁଟରୁ ଆନ୍ଧ୍ରକୁ ଏକ ଟ୍ରକରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ କରାଯାଉଥିବା ବେଳେ ପୁଲିସର ପାଟ୍ରୋଲିଂ ଟିମ ହାତରେ ଧରାପଡିଛନ୍ତି ।

ସାଂଘାତିକ କଥା ହେଉଛି, ୭ ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ଅବକାରୀ ଅଧିକାରୀ । ଗଞ୍ଜେଇ ବୋଝେଇ ଟ୍ରକକୁ ଅବକାରୀ ଅଧିକାରୀ ଓଡିଶା ସୀମାରୁ ସୁରକ୍ଷିତ ପାର କରାଉଥିବା ବେଳେ ପୁଲିସ ହାତରେ ଧରାପଡିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ଅବକାରୀ ଏଏସଆଇ ଅରୁପାଲକ ଦାସ, ଅବକାରୀ କନେଷ୍ଟବଳ ତ୍ରିଲୋଚନ ରୟ ଚେଟି, ଅବକାରୀ କନେଷ୍ଟବଳ ଆର ଭେଙ୍କଟେସ କୁମାର । ଟ୍ରକରୁ ୮ଶହରୁ ଅଧିକ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି । ଯାହାର କାମ ନିଶା କାରବାରକୁ ରୋକିବା ସେହି ଅବକାରୀ ବିଭାଗର ତିନି ଜଣ କର୍ମଚାରୀ ଗଞ୍ଜେଇ ଚାଲାଣରେ ସଂପୃକ୍ତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।