ଭାରତୀୟ ଯବାନଙ୍କୁ ତାଳୁରୁ ତଳିପା ପର୍ଯ୍ୟନ୍ତ ସୁରକ୍ଷା ଦେବ ସ୍ୱତନ୍ତ୍ର ଜ୍ୟାକେଟ ! କାମ କରିବନି ପେଟ୍ରୋଲ ବମ୍ କିମ୍ବା ପଥରମାଡ଼

40

ଯବାନଙ୍କ ପାଇଁ ଖୁସିଖବର । ଜମ୍ମୁ-କାଶ୍ମୀରରେ ସେନା ଉପରକୁ ବାରମ୍ବାର ପଥରଫିଙ୍ଗିବା ଘଟଣାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଯବାନଙ୍କୁ ପୂରା ଶରୀରକୁ ସୁରକ୍ଷା ଦେଇପାରୁଥିବା ଜ୍ୟାକେଟ ଦେବାକୁ ନିଷ୍ପତି ନେଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯବାନ ମାନଙ୍କୁ ଏଭଳି ସୁଟ୍ ଦିଆଯିବ ଯେଉଁଥିରେ ପଥର କିମ୍ବା ପେଟ୍ରୋଲ ବମ ବାଜିଲେ ମଧ୍ୟ କୌଣସି କ୍ଷତି ପହଞ୍ଚିବ ନାହିଁ । ଏହି ସ୍ୱତନ୍ତ୍ର ଧରଣର ସୁଟ ଯବାନଙ୍କ ଛାତି, କାନ୍ଧ, ଆଣ୍ଠୁ ସହିତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ସୁରକ୍ଷିତ ରଖିବ ।

ପାରାମିଲିଟାରୀ ଯବାନଙ୍କ ପାଇଁ ଗୃହ ମନ୍ତ୍ରାଳୟ ଯେଉଁ ସୁଟ ଆଣିବାକୁ ନିଷ୍ପତି ନେଇଛି ତାହା ମାଇନସ ୨୦ ଡିଗ୍ରୀରୁ ମାଇନସ ୫୫ ଡ଼ିଗ୍ରୀ ତାପମାତ୍ରାରେ ମଧ୍ୟ ଶରୀରକୁ ରକ୍ଷା କରିବ । ଏହା ଉପରେ କିରୋସିନ, ପେଟ୍ରୋଲ କିମ୍ବା ଡିଜେଲ ଭଳି କେମିକାଲର କୌଣସି ପ୍ରଭାବ ପଡ଼ିବ ନାହିଁ । ଏକ ଅଧିକାରୀଙ୍କ କହିବା ଅନୁଯାୟୀ, କାଶ୍ମୀର ଦିନକୁ ଦିନ ସେନା ଉପରକୁ ପଥରଫିଙ୍ଗା ଘଟଣା ବଢ଼ିବାରେ ଲାଗିଛି । ତେଣୁ ଯବାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଜ୍ୟାକେଟ କିଣିବାକୁ ନିଷ୍ପତି ହୋଇଛି । ରିପୋର୍ଟ ଅନୁଯାୟୀ, ମେ ୧୬ ମଧ୍ୟରେ ଜମ୍ମୁ-କଶ୍ମୀରରେ ୬୦୦ଟି ପଥରଫିଙ୍ଗା ମାମଲା ଦାୟର କରାଯାଇଛି । ଏହାପୂର୍ବରୁ ୨୦୧୬ରେ ୨୮୦୮ଟି , ୨୦୧୭ରେ ୧୧୯୮ ଥର ସେନା ଉପରକୁ ପଥରଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଯବାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଜ୍ୟାକେଟ ଅଣାଯିବ । ଏହି ଜ୍ୟାକେଟ ତିନଟି ସାଇଜରେ ଉପଲବ୍ଧ ହେବ ଓ ଏହାର ଓଜନ ୬ କେଜି ରହିବ । ଆଉ ଏହି ଜ୍ୟାକେଟଟି ୬ ବର୍ଷ ଯାଏଁ କାମ କରିବ । ଏହାପରେ ଏହା ନଷ୍ଟ ହୋଇଯିବ । ଅଧିକାଂଶ ସମୟରେ ପଥରଫିଙ୍ଗାଳୀଙ୍କ ଆକ୍ରମଣରେ ସିଆରପିଏଫ ଯବାନଙ୍କ ଚେହେରା, ଗୋଡ଼ ଓ ବେକରେ ଆଘାତ ଲାଗିଥାଏ । ଏପରିକି ଏହି ଆଘାତ ଏତେ ଗୁରୁତର ହୋଇଥାଏ ଯେ ଯବାନଙ୍କୁ ସର୍ଜରୀ ମଧ୍ୟ କରିବାକୁ ପଡ଼ିଥାଏ । ଏସବୁ ଭିତରେ ଏବେ ଅମରନାଥ ଯାତ୍ରା ପାଇଁ ଜମ୍ମୁ-କାଶ୍ମୀରକୁ ଅଧିକ ସଂଖ୍ୟାରେ ସିଆରଏଫ ଓ ବିଏସଏଫ୍ ଯବାନଙ୍କୁ ମୁତୟନ କରାଯାଉଛି । ପ୍ରାୟ ୪୦ ହଜାର ଯବାନଙ୍କୁ ଅମରନାଥ ଯାତ୍ରାର ସୁରକ୍ଷା ପାଇଁ କାଶ୍ମୀର ପଠାଯାଇଛି । ଏଭଳି ସ୍ଥିତିରେ ଏହି ଜ୍ୟାକେଟ ସୁରକ୍ଷାକର୍ମୀଙ୍କ ପାଇଁ ସୁରକ୍ଷାକବଚ ସାଜିବ ।