ସରକାରକୁ ଆସିଲେ ୨ ଶହ ୟୁନିଟ୍ ମାଗଣା ବିଜୁଳି । କର୍ଣ୍ଣାଟକରେ ବଡ ଘୋଷଣା କଲେ କଂଗ୍ରେସ ନେତା ।

178

କନକ ବ୍ୟୁରୋ: ବିଜେପିକୁ ସତ୍ତାରୁ ହଟେଇବା ପାଇଁ କର୍ଣ୍ଣାଟକରେ ବଡ ଘୋଷଣା କରିଛି କଂଗ୍ରେସ । ବୁଧବାର ପ୍ରଜା ଧ୍ୱନି ନାମକ ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିବା ସହିତ କଂଗ୍ରେସୀ ନେତା ଏକ ବଡ ଘୋଷଣା କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ସିଦ୍ଧରମୈୟାଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଆଉ ଏହି ନିର୍ବାଚନୀ ରାଲିରେ ସରକାରକୁ ଆସିଲେ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଡିକେ ଶିବକୁମାର ଆଜି ରାଲିରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ଯଦି କଂଗ୍ରେସ କର୍ଣ୍ଣାଟକରେ ସରକାରକୁ ଫେରେ, ତେବେ ରାଜ୍ୟରେ ୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ପ୍ରଜାଧ୍ୱନି ଯାତ୍ରା ଜରିଆରେ କର୍ଣ୍ଣାଟକର ୨୧ ଜିଲ୍ଲାକୁ ଯାତ୍ରା କରିବ କଂଗ୍ରେସ । ଏହି ଯାତ୍ରାରେ କଂଗ୍ରେସ କର୍ମୀମାନେ ନିଜ ନିଜର ବିଚାରଧାରା ଲୋକଙ୍କ ସହ ବାଣ୍ଟିବେ । ଆଗାମୀ ଦିନରେ କଂଗ୍ରେସ ସରକାର ହିଁ ବିକାଶ କରାଇପାରିବ ବୋଲି ଆଶ୍ୱାସନା ଦେବେ । ତେବେ ଏହାରି ଭିତରେ କଂଗ୍ରେସ ନେତାଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ବଢିଛି ।