ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଗିରି । ଗାଙ୍ଗୁଲିଙ୍କୁ ବଡ ଦାୟିତ୍ୱ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ।

233

କନକ ବ୍ୟୁରୋ: ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ ହେବାକୁ ଯାଉଛନ୍ତି ବିସିସିଆଇର ପୂର୍ବ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲିଙ୍କୁ ବଡ ଦାୟିତ୍ୱ ଦେବା ସହିତ ତାଙ୍କୁ ନିଜ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଭାବେ ନିଯୁକ୍ତି ଦେଇଛି ।

ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୌରଭ ଗାଙ୍ଗୁଲି ପୁଣିଥରେ ଆଇପିଏଲକୁ ରିଟର୍ଣ୍ଣ କରୁଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ତାଙ୍କ ଦାୟିତ୍ୱ କଣ ରହିବ ସେନେଇ କିଛି ବିସ୍ତୃତ ତଥ୍ୟ ଦିଆଯାଇନାହିଁ । ହେଲେ ମିଳିଥିବା ସୂଚା ମୁତାବକ, ସେ ଦଳର ମେଣ୍ଟର ରହିବା ସହିତ କୋଚିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି ।

ପୂର୍ବରୁ ମଧ୍ୟ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡି ହୋଇଥିଲେ । ୨୦୧୯ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମେଣ୍ଟର ନିଯୁକ୍ତ ହୋଇଥିଲେ । ହେଲେ ଚଳିତଥର ତାଙ୍କୁ ବଡ ଦାୟିତ୍ୱ ଦେବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଡିରେକ୍ଟର ଅଫ୍ କ୍ରିକେଟ ଭାବେ ନିଯୁକ୍ତି ଦେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ସହିତ ସେ ଦକ୍ଷିଣ ଆଫ୍ରିକା ଲିଗ୍ ଓ ଦୁବାଇ କ୍ରିକେଟ୍ ଲିଗରେ ଖେଳୁଥିବା ଫ୍ରାଞ୍ଚାଇଜର ମଧ୍ୟ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଅକ୍ଟୋବର ମାସରେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗତ ତିନି ବର୍ଷ ଧରି ସେ ଏହି ପଦରେ ରହିଥିଲେ । ଏବେ ଦୀର୍ଘ ଦିନର ବ୍ୟବଧାନ ପରେ ଦାଦା ଆଇପିଏଲକୁ ରିଟର୍ଣ୍ଣ କରିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପୁଣିଥରେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ।