କନକ ବ୍ୟୁରୋ : ମାଓ ସଂଗଠନ ମଜବୁତ ଥିବା ବେଳେ ମାଓବାଦୀମାନେ ଚକମା ଦେଇ ଦୁର୍ଗମ ଅଂଚଳର ବିଭିନ୍ନ ସ୍ଥାନରେ ବୈଠକ ଓ କ୍ୟାମ୍ପ କରୁଥିଲେ । ମାଓବାଦୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଯବାନମାନେ କମ୍ବିଂ ଅପରେସନ ଓ ପେଟ୍ରୋଲିଂ ବି କରୁଥିଲେ । ତେବେ ଏନେଇ କୌଣସି ପ୍ରକାରରେ ଖବର ପାଇ ମାଓ ବାଦୀମାନେ ଦୁର୍ଗମ ଜଙ୍ଗଲ ଓ ପାହାଡ ଦେଇ ଅନ୍ୟ ସ୍ଥାନକୁ ନିଜ କ୍ୟାମ୍ପ ସ୍ଥାନାନ୍ତର କରୁଥିଲେ । ଘଂଚ ଜଙ୍ଗଲ ଭିତରେ କାଦୁଅମୟ ରାସ୍ତା ଓ ନଦୀ ନାଳ ସବୁ ପାର ହେଉଥିଲେ । ଯବାନମାନେ ମାଓବାଦୀଙ୍କ ଗୁପ୍ତପଥ ଦେଇ ତାଙ୍କ ନିକଟରେ ସହଜରେ ପହଞ୍ଚିପାରୁନଥିବା କାରଣରୁ ଧୀରେ ଧୀରେ ସେଠାରେ ମାଓବାଦୀ ସଂଗଠନ ବି ମଜବୁତ ହେବାରେ ଲାଗିଥିଲା । କ୍ୟାଡର ମାଓବାଦୀମାନେ ସ୍ଥାନୀୟ ମିଲିସିଆଙ୍କ ସହଯୋଗରେ ଦୂରଦୂରାନ୍ତରେ ଥିବା ଦୁର୍ଗମ ଅଂଚଳକୁ ସ୍ଥାନାନ୍ତର ହେବା ଲାଗି ଘଂଚ ଜଙ୍ଗଲ ମଧ୍ୟରେ କିଛି ଏଭଳି ପାଦଚଲା ରାସ୍ତା ସୃଷ୍ଟି କରି ନିଜର ପତିଆରା ଜାହିର କରିବା ସହ ଯବାନଙ୍କ ଯୋଜନାକୁ ବିଫଳ କରିପାରୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗତ ୨୦୧୬ ସେପ୍ଟମ୍ବରରେ ପଡିଆ ବ୍ଲକ୍ ଅନ୍ତର୍ଗତ ସିଲାକୋଟା ଓ ଏହାର ଆଖପାଖ ଅଂଚଳରେ ଏକାଧିକ ଗ୍ରାମର ଲୋକେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଂଚି ମାଓବାଦୀଙ୍କୁ ସହ ଯୋଗ ନକରି ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଧିରେ ଧିରେ ଏହି ଅଂଚଳରେ ମାଓବାଦୀଙ୍କ ପ୍ରଭାବ କମିବାରେ ଲାଗିଛି । ଏହାପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସିଲାକୋଟାରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ଭ ଅନେକ ମାଓ ସ୍ମୃତିକୁ ଧ୍ୱଂସ କରି ଲୋକଙ୍କ ମନରୁ ମାଓ ଭୟକୁ ଦୂର କରିବାରେ ସଫଳ ହୋଇଥିଲେ । ସେହି ଅଂଚଳରେ ମାଓବାଦୀଙ୍କ ଗତିବିଧି ସାମନ୍ୟ କମିବା ପରେ ସେମାନଙ୍କ ଗୁପ୍ତପଥ ଗୁଡିକ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ।
ଏଭଳି ଏକାଧିକ ରାସ୍ତା ଥିବା ବେଳେ ପଡିଆ ବ୍ଲକ ମାଟେରୁ ପଂଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମବାସୀଙ୍କୁ ବାପନପଲ୍ଲୀ ପଂଚାୟତର ସିଲାକୋଟା ଗ୍ରାମକୁ ଯିବାକୁ ହେଲେ ପକ୍କା ରାସ୍ତା ଦେଇ ପ୍ରାୟ ୩୦ କିମି ଦୂରତା ଅତିକ୍ରମ କରିବା ଲାଗି ପଡୁଛି । ଯଦି ପାହାଡ ପାଦଦେଶ ଓ ଘଂଚ ଜଂଗଲ ମଧ୍ୟ ଦେଇ ତଥା ମାଓବାଦୀଙ୍କ ଗୁପ୍ତରାସ୍ତା ଦେଇ ଗଲେ ଏହି ଦୂରତା ମାତ୍ର ୩ ରୁ ୪ କିମି ବାଟ ଯିବାକୁ ହୋଇଥାଏ । କିନ୍ତୁ ଘଂଚ ଜଙ୍ଗଲ ସହ ଖାଲଢେଉ ରାସ୍ତା ହୋଇଥିବାରୁ ବାଧ୍ୟ ହୋଇ ଅଂଚଳବାସୀଙ୍କୁ ଅଧିକ ଦୂର ବୁଲିବାକୁ ପଡୁଛି । ଦୁର୍ଗମ ଅଂଚଳକୁ ଯାତାୟତ ସୁବିଧା ପାଇଁ ତଥା ଅଂଚଳବାସୀଙ୍କୁ ନକ୍ସଲଙ୍କ ଠାରୁ ମୁକ୍ତ ରଖିବା ସହ ବିକାଶ କାର୍ଯ୍ୟକୁ ସଠିକ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟା କରୁଥିବା ପ୍ରଶାସନ ଓ ଅଧିକାରୀଙ୍କ ଏଦିଗରେ ଦୃଷ୍ଟି ପଡୁନାହିଁ । ଯଦି ପ୍ରଶାସନ ପକ୍ଷରୁ ଏହି ପାହାଡ ଓ ଜଂଗଲିଆ ରାସ୍ତା ନିର୍ମାଣ କରାଯାଏ ତେବେ ଅଂଚଳବାସୀ ଅତି ସ୍ୱଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।