କେନ୍ଦ୍ର ପରେ ରାଜ୍ୟ ସରରକାର ବୃଦ୍ଧିକଲେ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ

207

କନକ ବ୍ୟୁରୋ : କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଆଜି ଏହି ଅବଧିକୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ପୂର୍ବଭଳି ରାସନ ପ୍ରଦାନ କରାଯିବ । ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁ ଚାଉଳ ପାଇବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ।

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।