ଛାଡୁଛି ବନ୍ୟାଜଳ ବଢୁଛି ଦୁର୍ଦ୍ଦଶା ! ଏବେବି ବିପଦ ସଂକେତ ଉପରେ ବହୁଛି ବୈତରଣୀ ଓ ସୁବର୍ଣ୍ଣରେଖା

34

କନକ ବ୍ୟୁରୋ: ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି । ବଢିଲା ନଈ ଭଦ୍ରକରେ ଲୋକଙ୍କ ନିଜ ହଜାଇ ଦେଇଛି । ଏବେ ବୈତରଣୀରେ ଜଳସ୍ତର କମୁଥିଲେ ସୁଦ୍ଧା ନଦୀ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଗତକାଲି ଆଖୁଆପଦାରେ ୧୮ ଦଶମିକ ୬୦ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ୧୭ ଦଶମିକ ୮୭ ଉପରେ ବହୁଛି । ତେବେ ଆଖୁଆପଦାରେ ନଦୀର ବିପଦ ସଂକେତ ୧୭ ଦଶମିକ ୮୩ ରହିଛି । ବୈତରଣୀର ବନ୍ୟାଜଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପଶିଛି । ଫଳରେ ଶହଶହ ଲୋକ ଏବେ ପାଣିଘେରରେ ରହିଛନ୍ତି ।

ଭଣ୍ଡାରିପୋଖରରୀ ବ୍ଲକର ୫ଟି ପଂଚାୟତର ୨୫ଟି ଜଳବନ୍ଦି ହୋଇ ରହିଛି । ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । କେବଳ ଭଣ୍ଡାରୀପୋଖରରୀ ୩ଟି ଡଙ୍ଗା ରହିଛି । ହଜାର ହଜାର ଲୋକେ ଜଳବନ୍ଦୀ ଥିବା ବେଳେ ଏବେ ବି ଏମାନଙ୍କ ପାଖର ରନ୍ଧାଖାଦ୍ୟ କି ସୁଖିଲା ଖାଦ୍ୟ ପଂଚିନଥିବା ଅଭିଯୋଗ ହୋଇଛି ।

ସେହିଭଳି ଧାମନଗର ବ୍ଲକର ୫ଟି ପଂଚାୟତର ୨୭ଟି ଗାଁ ବନ୍ୟାପାଣିରେ ବୁଡିକି ରହିଛି । ବୈତରଣୀ ଓ ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗାଁରେ ବନ୍ୟାପାଣି ପଶିଛି । ସେପଟେ ଆରଡିରେ ମଧ୍ୟ ବନ୍ୟା ପରିସ୍ଥିତି । ବ୍ଲକର ଓଳଙ୍ଗ, ନନ୍ଦପୁର ଓ ସୁନ୍ଦରପୁର ପଂଚାୟତର ୨୫ଟି ଗାଁ ସମ୍ପୂର୍ଣ୍ଣରୂପେ ବନ୍ୟାରେ ପ୍ରଭାବିତ ହୋଇଛି । ତେବେ ଜିଲ୍ଲାର ପାଖାପାଖି ୮୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।