୪୦୦ ଟଙ୍କା ନ ଦେବାରୁ ମିଳିଲାନି ଆମ୍ବୁଲାନ୍ସ ! ୧୦ ବର୍ଷ ପୁଅର ମୃତଦେହ ଧରି ରାସ୍ତାରେ ଚାଲି ଚାଲି ଗଲେ ବାପା

81

କନକ ବ୍ୟୁରୋ : ପୁଅର ମୃତଦେହକୁ ଧରି ରାସ୍ତାରେ ଚାଲି ଚାଲି ଗଲା ବାପା । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ୧୦ ବର୍ଷର ପୁଅର ମୃତଦେହକୁ ଧରି ବାପା, ମା ଓ ଝିଅ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନଥିଲା । ଗତକାଲି ରାତିରେ ପୁଅର ଦେହ ଖରାପ ହେବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ପୁଅର ମୃତ୍ୟୁ ହେବାରୁ ମୃତଦେହକୁ ଗାଁକୁ ନେବା ପାଇଁ ମେଡିକାଲରେ ଗାଡି କଥା କହିଥିଲେ ବାପା । କିନ୍ତୁ ମେଡିକାଲରେ ତାଙ୍କୁ କେହି ୪୦୦ ଟଙ୍କା ମାଗିିଥିଲେ ।

ପାଖରେ ଟଙ୍କା ନଥିବାରୁ ସେ ନିରୁପାୟ ହୋଇ ପୁଅର ମୃତଦେହକୁ ଧରି ରାସ୍ତାରେ ଚାଲିଚାଲି ଯାଇଥିଲେ । କିଛି ଲୋକ ରାସ୍ତାରେ ତାଙ୍କୁ ଅଟକାଇଥିଲେ । ପରେ ଖବର ପାଇ ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରଖାନା ଫାଣ୍ଡି ପୁଲିସ ଶବକୁ ନେବାକୁ ଗାଡି ଦେଇଥିଲେ । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଫାଣ୍ଡି ପୁଲିସ । ବହୁଚର୍ଚ୍ଚିତ ଦାନ ମାଝୀ ଘଟଣା ମନରୁ ନ ଲିଭୁଣୁ ପୁଣିଥରେ ଏଭଳି ଘଟଣା ସାମ୍ନାକୁ ଆସିଛି ।