ଇତିହାସ ରଚିଲା ଇଂଲଣ୍ଡ : ୱାନଡେ କ୍ରିକେଟରେ ସ୍ଥାପନ କଲା ନୂଆ ବିଶ୍ୱ ରେକର୍ଡ, ଅଷ୍ଟ୍ରେଲିଆ ବିପକ୍ଷରେ ୪୮୧ ରନର ସର୍ବାଧିକ ଦିନିକିଆ ସ୍କୋର

37

କନକ ବ୍ୟୂରୋ : ଇତିହାସ ରଚିଲା ଇଂଲଣ୍ଡ । ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ନୂଆ ବିଶ୍ୱ ରେକର୍ଡ କରିଛି ଇଂଲଣ୍ଡ ଦଳ । ନଟିଂହାମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୪୮୧ ରନର ବିଶାଳ ସ୍କୋର କରି ନୂଆ କୀର୍ତିମାନ ସ୍ଥାପନ କରିଛି ଇଂଲିଶ୍ କ୍ରିକେଟ୍ ଟିମ୍ । କେବଳ ଚୌକା ଓ ଛକାରେ ମୋଟ ୨୯୦ ରନ ସଂଗ୍ରହ କରିଛି ଇଂଲଣ୍ଡ । ଏହି ଇନିଂସରେ ମୋଟ ୨୧ଟି ଛକା ଓ ୪୧ ଟି ଚୌକା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ଆଲେକ୍ସ ହେଲସ ୯୨ ବଲରୁ ସର୍ବାଧିକ ୧୪୭ ରନ୍ କରିଥିଲେ । ହେଲସଙ୍କ ଏହି ଶାନଦାର ଇନିଂସରେ ରହିଥିଲା ୧୬ଟି ଚୌକା ସହ ୫ଟି ଛକ୍କା ।

ଜନି ବେୟାରଷ୍ଟୋ ମଧ୍ୟ ୯୨ ବଲ୍ ଖେଳି ୧୫ ଚୌକା ଓ ୫ ଛକ୍କା ସହ ୧୩୯ ରନ୍ କରିଥିଲେ । ସେହିପରି ଜେସନ୍ ରୟ ୬୧ ବଲରୁ ୭ଟି ଚୌକା ଓ ୪ ଛକ୍କା ସହାୟତାରେ ୮୨ ରନ୍ କରିଥିଲେ । ଅଧିନାୟକ ଇୟନ୍ ମୋର୍ଗାନ୍ ମଧ୍ୟ ୩୦ ବଲରୁ ଧୂଆଁଧାର ୬୭ ରନ୍ କରିଥିଲେ । ଯେଉଁଥିରେ ରହିଥିଲା ୬ଟି ଛକ୍କା ଓ ୩ଟି ଚୌକା । ବିଶ୍ୱ ଦିନିକିଆ କ୍ରିକେଟ୍ର ଆଇସିସି ର୍ୟାଙ୍କିଂରେ ନମ୍ବର ୧ ଦଳ ଇଂଲଣ୍ଡ କଙ୍ଗାରୁ ବୋଲରଙ୍କୁ ନିର୍ମମ ପ୍ରହାର କରି ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି । ୨୦୧୬ ରେ ସେହି ନଟିଂହାମ୍ରେ ଖେଳାଯାଇଥିବା ଦିନିକିଆରେ ପାକିସ୍ତାନ ବିପକ୍ଷରେ ୪୪୪ ରନ୍ କରିଥିଲା ଇଂଲଣ୍ଡ । ତେବେ ଏହା ପୂର୍ବରୁ ୨୦୦୬ରେ ନେଦରଲାଣ୍ଡ ବିରୋଧରେ ୪୪୩ ରନ୍ କରିଥିଲା ଶ୍ରୀଲଙ୍କା ।