ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ମସ୍କଙ୍କ ଟ୍ୱିଟ୍ ବଢାଇଲା କର୍ମଚାରୀଙ୍କ ଚିନ୍ତା

208

କନକ ବ୍ୟୁରୋ: ଏପ୍ରିଲରେ ଟ୍ୱିଟର କିଣିବା ନେଇ ଚୁକ୍ତି ହେବା ପରେ ନକଲି ଆକାଉଂଟ କେତେ ଅଛି ଜବାବ ମାଗିଥିଲେ ମସ୍କ । ଯାହାର ଉତରକୁ ନେଇ ସନ୍ତୁଷ୍ଟ ହୋଇନଥିଲେ ମସ୍କ । ପରେ ଡିଲ୍ ବାତିଲ ଯାଏ କଥାଯାଇଥିଲା । ଆଉ ଏହି ସମୟରେ ସିଇଓ ପରାଗଙ୍କ ସହିତ ବିବାଦ ବଢିଥିଲା । ୧୪.୨ ଡଲାର ପ୍ରତି ସେୟାର ପିଛା ଅର୍ଥାତ୍ ମୋଟ୍ ୩.୩୭ ଲକ୍ଷ କୋଟିରେ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ମସ୍କ । ପରେ ନକଲି ଆକାଉଂଟ ପାଇଁ ଜୁଲାଇରେ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା । ପରେ ଅକ୍ଟୋବରରେ ନିଷ୍ପତି ବଦଳାଇଛନ୍ତି ମସ୍କ ।

ଏପ୍ରିଲ ୧୩ରେ ଟ୍ୱିଟରକୁ କିଣିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ ମସ୍କ । ଆଉ ଏବେ ଅକ୍ଟୋବରରେ ସେ ନିଜ ଟ୍ୱିଟର ଆକାଉଂଟରେ ଚିଫ୍ ଟ୍ୱିଟ୍ ଲେଖିବା ସହିତ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହାତ ଧୁଆ ବେସିନ ଧରି ପ୍ରବେଶ କରିଛନ୍ତି । ଆଉ ଉପରେ ଏକ ଇଂଲିଶ ରୂଢୀକୁ ଲେଖିଛନ୍ତି, ଲେଟ୍ ଦାଟ ସିଙ୍କ୍ ଇନ୍ । ନିଜ ଅନ୍ଦାଜରେ ଭିଡିଓ ଟ୍ୱିଟ୍ କରି ବିତର୍କ ସୃଷ୍ଟି କରୁଥିବା ଏଲନ ମସ୍କଙ୍କ ଏହି ଭିଡିଓ ଉପରେ ଲେଖିଥିବା ରୁଢୀର ଅର୍ଥ, ସବୁ ବୁଝି ସାରିଛି ଏବେ କାର୍ଯ୍ୟକାରୀ କରିବାର ସମୟ.. ପୁରୁଣା ଯିବେ ନୂଆ ଆସିବେ । ଆଉ ଅଫିସରେ ନିଜ କର୍ମଚାରୀଙ୍କ ସହ କଥା ବାର୍ତା କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅର୍ଥାତ୍ ଟ୍ୱିଟରରେ ଏବେ ସେ ତାଙ୍କ ଚିନ୍ତାଧାରାକୁ ପ୍ରୟୋଗ କରିବାକୁ ଯାଉଛନ୍ତି । ଆଉ ଏହି ଟ୍ୱିଟ ର କିଛି ଘଂଟା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ସେଫଟି ଦାୟିତ୍ୱରେ ଥିବା ବିଜୟ ଗାଡ୍ଡେଙ୍କ ସମେତ ୪ ପ୍ରମୁଖ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି ।

ପରାଗ ଅଗ୍ରୱାଲ ଓ ଅନ୍ୟ ଟୁଇଟର କର୍ମଚାରୀଙ୍କୁ ବରଖାସ୍ତ କରାଯିବା ନେଇ ମସ୍କ, ଟୁଇଟର କିମ୍ବା କୌଣସି ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଅନ୍ୟପଟେ ଶୁଣା ଯାଉଛି ଆଗକୁ ଆହୁରି କର୍ମଚାରୀଙ୍କ ବି ଚାକିରି ଯାଇପାରେ ।

ଟ୍ୱିଟରରେ ସବୁଠାରୁ ଅଧିକ ଫଲୋଅର ଥିବା ବ୍ୟକ୍ତି ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଆମେରିକାର ନିର୍ବାଚନ ବେଳେ ବିବାଦ ପରେ ଟ୍ରମ୍ପଙ୍କ ଆକାଉଂଟ ବନ୍ଦ କରିଦେଇଥିଲା ଟ୍ୱିଟର । ଆଉ ମସ୍କ ଟ୍ୱିଟରର ସିଇଓ ହେବା ପରେ ଏହି ଟ୍ୱିଟ୍ ଯେଉଁଥିରେ ସେ ଦ ବାର୍ଡ ଇଜ୍ ଫ୍ରିଡ୍ ଲେଖିଛନ୍ତି । ଆଉ ପରବର୍ତୀ ସମୟରେ ଟ୍ରମ୍ପଙ୍କୁ ବ୍ଲକ କରିଥିବା ଟିମ ସଦସ୍ୟଙ୍କୁ ବହିଷ୍କାର କରିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଏବେ ଟ୍ରମ୍ପ ପୁଣିଥରେ ଟ୍ୱିଟରରେ ଏଂଟ୍ରି ମାରିପାରନ୍ତି । ହେଲେ ଫ୍ରିଡ୍ ଲେଖି ମସ୍କ ଟ୍ୱିଟ୍ କରିବା ପରେ ସମସ୍ତେ ନିଜ ନିଜ ମତ ରଖିବେ ବୋଲି ଇସାରା କରିଛନ୍ତି । ଆଉ ସମସ୍ତଙ୍କ ମତକୁ ଅଗ୍ରାଧିକାର ଦେଇ କିପରି ଆଗକୁ ବଢୁଛନ୍ତି ମସ୍କ ତା ଉପରେ ସମସ୍ତଙ୍କ ନଜର ।