ଅର୍ଚ୍ଚନା ନାଗ ମାମଲା : ଇଡି ଆଗରେ ମୁହଁ ଖୋଲୁଛି ଖଗେଶ୍ୱର; ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କୁ କରିପାରେ ନୋଟିସ

147

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଆଗରେ ମୁହଁ ଖୋଲୁଛି ଖଗେଶ୍ୱର । ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କୁ ଇଡି ନୋଟିସ କରିପାରେ । ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ ବିଧାୟକ ନାଁ ଆସୁଥିବା ଇଡି ସୁରାକ୍ ପାଇଛି । ଏହି ୩ ଜଣ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି । ୩ ଜଣ ବିଧାୟକଙ୍କର ସିଧାସଳଖ ନ ହେଲେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ବାଟେ ଅର୍ଚ୍ଚନା ନାଗଙ୍କ ପାଖକୁ ଟଙ୍କା କାରବାର ହୋଇଛି । ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡିର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିବା ପରେ ୩ ଜଣ ବିଧାୟକଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଖବର ମିଳିଛି ।

ଯାଞ୍ଚବେଳେ ଜଣା ପଡ଼ିଛି ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଅଛି । ଏହି ସବୁ ଆକାଉଣ୍ଟକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଟଙ୍କା ଆସିଛି, ତାହା ପୁଣି ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ। ଖଗେଶ୍ବର ହିଁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ମାଧ୍ୟମ ଥିଲେ । ସୁପ୍ରିମ ବଜାରରେ ହିଁ ସବୁ ପ୍ରକାରର ଡିଲ୍ ହେଉଥିଲା । ତଦନ୍ତବେଳେ ଜଣାପଡ଼ିଛି ଅର୍ଚ୍ଚନା ଓ ତାଙ୍କ ପତି ଜଗବନ୍ଧୁଙ୍କର ୫ଟି ଜାଲ୍ କମ୍ପାନି ରହିଛି । ସେଥି ମଧ୍ୟରେ ମାଇନ୍ସ, ଟ୍ରାନ୍ସପୋର୍ଟ, ରିଅଲ ଇଷ୍ଟେଟ୍ ପ୍ରମୁଖ । ଏସବୁ ଥିରେ ୩ ଜଣ ବିଧାୟକଙ୍କ ଟଙ୍କା ମଧ୍ୟ ଲାଗିଥିବା ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ସେହିପରି ଖୁବ୍ ଶୀଘ୍ର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର ମିଶି କରି ରିଅଲ୍ ଇଷ୍ଟେଲ ବିଜିନେସ୍ ଆରମ୍ଭ କରିଥାନ୍ତେ । ଏଥିପାଇଁ ଏମାନେ ବାଲିଅନ୍ତା ରଙ୍ଗ ବଜାର ଅଞ୍ଚଳରେ ଜମି କିଣିବିକା ନେଇ କେତେକ ଜମି ମାଲିକମାନଙ୍କ ସହିତ କଥାବାର୍ତ୍ତା କରି ସାରିଥିଲେ । କିଛି ଜମି କିଣି ମଧ୍ୟ ସାରିଛନ୍ତି । ସେଠାରେ ଆର୍ପାଟମେଣ୍ଟ୍ ତିଆରି କରି ବିକ୍ରି କରିଥାନ୍ତେ ଖଗେଶ୍ବର ଓ ଅର୍ଚ୍ଚନା ।