୨୦୧୯ ନିର୍ବାଚନ ପାଇଁ ସଜବାଜ ! ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

318

କନକ ବ୍ୟୁରୋ :  ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ୨୦୧୯ ଲୋକସଭା ନିର୍ବାଚନ  ତାରିଖ । ଜୁନ ୩ରେ ବର୍ତ୍ତମାନ ଚାଲୁଥିବା ଲୋକସଭାର ଅବଧି ଶେଷ ହେବ । ସାଧାରଣ ନିର୍ବାଚନ କେତେ ପର୍ଯ୍ୟାୟରେ ଓ କେଉଁ ମାସରେ ହେବ, ଏନେଇ ନିର୍ବାଚନ କମିସନ୍ ବିଚାର ବିମର୍ଷ କରୁଛନ୍ତି । ସୁରକ୍ଷା କର୍ମୀଙ୍କ ଉପଲବ୍ଧତା ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ଘୋଷଣା କରାଯିବ ।

ସୂଚନା ଅନୁସାରେ ଗତ ଥର ପରି ଏଥର ମଧ୍ୟ ନିର୍ବାଚନ କମିସନ୍ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ କରାଇପାରନ୍ତି । ଜାମ୍ମୁ-କଶ୍ମୀରର ବିଧାନସଭା ଭଙ୍ଗ ହୋଇସାରିଛି । ଆଉ ନିୟମ ଅନୁସାରେ ବିଧାନସଭା ଭଙ୍ଗ ହେବାର ୬ ମାସ  ଭିତରେ ହିଁ ନିର୍ବାଚନ କରାଇବା ଜରୁରୀ । ନଭେମ୍ବର ୨୧୦୮ରେ ଜାମ୍ମୁ-କାମ୍ମୁକଶ୍ମୀର ବିଧାନସଭା ଭଙ୍ଗ ହୋଇଛି । ତେଣୁ ଲୋକସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେବାର ମଧ୍ୟ ସମ୍ଭାବନା ରହିଛି ।

ସୂଚନା ଅନୁସାରେ ମେ ମାସ ପୂର୍ବରୁ ଜମ୍ମୁ-କାଶ୍ମୀରର ନିର୍ବାଚନ ହେବାର ସମ୍ଭାବନା ରହିଛି । ସାଧାରଣ ପରିସ୍ଥିତିରେ ଜମ୍ମୁକଶ୍ମୀର ବିଧାନସଭା କାର୍ଯ୍ୟକାଳ ୬ ବର୍ଷ । ଯାହା ୧୬ ମାର୍ଚ୍ଚ ୨୦୨୧ରେ ଶେଷ ହେବାର ଥିଲା । ଅନ୍ୟପଟେ ଅନ୍ୟ ବିଧାନସଭା ଓ ଲୋକସଭା କାର୍ଯ୍ୟକାଳ ୫ ବର୍ଷ । ସିକ୍କିମ ବିଧାନସଭା କାର୍ଯ୍ୟକାଳ ୨୭ ମେ ୨୦୧୯ରେ ଶେଷ ହେବ । ସେହିପରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଅରୁଣାଚଳ ପ୍ରଦେଶର ବିଧାନସଭା କାର୍ଯ୍ୟକାଳ କ୍ରମଶ ୧୮ ଜୁନ୍, ୧୧ ଜୁନ୍ ଓ ୧ ଜୁନରେ ଶେଷ ହେଉଛି ।

୨୦୦୪ରେ  ୨୯ ଫେବୃୟାରୀରେ ୪ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ ଘୋଷଣା କରିଥିଲେ । ସେହିପରି ୨୦୦୯ରେ ୨ ମାର୍ଚ୍ଚରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ୨୦୧୪ରେ ମାର୍ଚ୍ଚ ୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ୍ । ଗତ ଥର ସାଧାରଣ ନିର୍ବାଚନ ୯ଟି ପର୍ଯ୍ୟାୟରେ ଏପ୍ରିଲ ଓ ମେ ମାସରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ୭ ଅପ୍ରେଲ ଓ ଶେଷ ପର୍ଯ୍ୟାୟ ଭୋଟିଂ ୧୨ ମେ ରେ ହୋଇଥିଲା ।