ଦୁଇବନ୍ଧୁଙ୍କ ପ୍ରେରଣାଦାୟୀ କାହାଣୀ : ପାଠପଢା ସହ ହୋଇଛନ୍ତି ସ୍ୱାବାଲମ୍ବୀ; ଜୁସ ବିକି କରୁଛନ୍ତି ରୋଜଗାର, ପଢୁଛନ୍ତି ପାଠ

189

କନକ ବ୍ୟୁରୋ : କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଅସିଛି ଏଭଳି ଏକ ପ୍ରେରଣାଦାୟୀ କାହାଣି । ଆମେ ଆପଣଙ୍କୁ ଏଭଳି ଦୁଇ ବନ୍ଧୁଙ୍କ ବିଷୟରେ କହିବୁ ଯେଉଁମାନେ ପାଠପଢା ସହ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପ୍ରେରଣା ପାଲଟିଛନ୍ତି । ଏଭଳି କରି ଦେଖାଇଛନ୍ତି ଭଞ୍ଜନଗରର ବ୍ଲକ ଟାଙ୍ଗଣ ଗ୍ରାମର ବାସିନ୍ଦା କାଳିଆ ପ୍ରଧାନ ଓ ସୂରଜ ବେହେରା ।

କାଳିଆ ନିଜ ପାଠପଢା ସରିବା ପରେ ରେଳବାଇ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସୁରଜ ଡିପ୍ଲୋମା ସାରି ଇଞ୍ଜିନିୟରିଙ୍ଗରେ ଡିଗ୍ରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପାଠପଢା ସହ ସେମାନଙ୍କ ପଢାଖର୍ଚ୍ଚ ଉଠାଇବା ପାଇଁ ଭଞ୍ଜନଗର ମୁଖ୍ୟ ବସଷ୍ଟାଣ୍ଡରେ ଏକ ଜୁସ ଦୋକାନ ଖୋଲିଛନ୍ତି । ସେଠାରେ ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଇବା ସହ ବିଭିନ୍ନ ପ୍ରକାରର ଜୁସ ବିକ୍ରି କରୁଛନ୍ତି । ଦିନରେ ୪ରୁ ୫ଘଣ୍ଟା ଦୋକାନ ପାଇଁ ସମୟ ପାଇଁ ଦେଉଥିବା ବେଳେ ବଳକା ସମୟ ପାଠପଢାରେ ବିତାଉଛନ୍ତି ଉଭୟ ମେଧାବୀ ଛାତ୍ର ।

ବ୍ରହ୍ମପୁରରେ ଏକ ପରୀକ୍ଷା ଦେବାକୁ ଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର ଆଗରେ ଏକ ଜୁସ ଦୋକାନ ସେମାନଙ୍କୁ ରୋଜଗାରର ବାଟ ଦେଖାଇଥିଲା । ଏହି ଦୋକାନରେ ମାଣ୍ଡିଆ , କଲରା, ବିଟ୍, ଲେମ୍ଭୁ ଓ ବେଲପତ୍ର ଜୁସ ବିକ୍ରୀ କରୁଥିବା ବେଳେ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ଼ ଜମିଥାଏ । ଏସବୁ ସ୍ୱାସ୍ଥ୍ୟକର ଜୁସ୍ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି ।