ପୁଣି ଫେରିଲା ପୋଲାଭରମ ବିବାଦ: ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ ଯୋଗୁ ବୁଡିଲା ମୋଟୁ

80

କନକ ବ୍ୟୁରୋ: ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ମାଲକାନଗିରିରେ ଦେଖିବାକୁ ମିଳିଛି । ଗୋଦାବରୀ ନଦୀର ଜଳସ୍ତର କମୁନଥିବା ବେଳେ ଗୋଦାବରୀର ଶାଖା ନଦୀ ସିଲେରୁ ଓ ସାବେରୀର ପଛୁଆ ପାଣି ମାଲକାନଗିରିର ଜନବସତିକୁ ପଶି ଆସିଛି

ଆକାଶ ମାର୍ଗରୁ ଏ ହେଉଛି ମାଲକାନଗିରିର ମୋଟୁ ଅଂଚଳର ଦୃଶ୍ୟ । ଆଖି ପାଇବା ଯାଏଁ କେବଳ ପାହାଡ ଓ ପାଣି ଦେଖା ଯାଉଛି । ଦେଖା ଯାଉଛି ପାଣିରୁ ମୁଣ୍ଡ ଟେକିଥିବା କିଛି ଡେଙ୍ଗା ଡେଙ୍ଗା ଗଛ ଓ ଜଳବନ୍ଦୀ ହୋଇ ରହିଥିବା କେତେକ ଘର । ଏ ଦୃଶ୍ୟ ବୟାନ କରୁଛି ମୋଟୁରେ କେତେ ସାଂଘାତିକ ବନ୍ୟା ପରିସ୍ଥିତି ।

ମୋଟୁର ତହସିଲ ଅଫିସ ଦେଇ ମୋଟୁ ମୁଗି ପଏଂଟରୁ ଲମ୍ବିରହିଥିବା ପିଚୁରାସ୍ତା ପାଣିରେ ବୁଡିରହିଛି । ମୋଟୁର ପୁରୁଣା ବସ୍ତି ବନ୍ୟାପାଣିରେ ବୁଡିଯାଇଛି । ଆଉ ଏ ହେଉଛି ମୋଟୁ ଅଂଚଳର ଗାଁର ଦୃଶ୍ୟ । ଘର ଅଗଣାରେ ଅଂଟାଏ ଓ ଘର ଭିତରେ ଆଂଠୁଏ ଉଚ୍ଚର ପାଣି ଲହଡି ମାରୁଛି । ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ମୋଟୁର ହଷ୍ଟେଲରୁ ୩ଶହରୁ ଅଧିକ ପିଲାଙ୍କୁ ଏମଭି -୮୮ ଗାଁକୁ ଆଣି ଥଇଥାନ କରିଛି ପ୍ରଶାସନ ।

ଗାଁ ଭିତରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ରାସ୍ତାରେ ଚାଲୁଛି ମୋଟର ବୋଟ୍ । ମାଲକାନଗିରି କାଳିମେଳାର ତଳିଆ ଅଂଚଳରେ ବନ୍ୟା ପାଣି ପଶି ଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଗାଁରାସ୍ତା ଜଳାର୍ଣ୍ଣବ ହୋଇପଡିଥିବା ବେଳେ ଗମନାଗମନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି ।

ପୋଲାଭରମ ପ୍ରକଳ୍ପ ଯୋଗୁଁ କେବଳ ମୋଟୁ ଅଂଚଳ ନୁହେଁ, ଆନ୍ଧ୍ରର ଅନେକ ଗାଁ ବି ପାଣି ଘେରରେ ରହିଛି । ମୋଟୁଠାରୁ ମାତ୍ର ୧୦ କିଲୋମିର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ଗାଁ ଜଳବନ୍ଦୀ ହୋଇଛି । ସେହିପରି କାଲେରୁ ଗାଁ ବନ୍ୟା ପାଣିରେ ସଂପୂର୍ଣ୍ଣ ବୁଡି ଯାଇଥିବା ସୂଚନା ମିଳିଛି ।