ଓଡ଼ିଶା ଝିଅ ମୁଣ୍ଡରେ ରାଷ୍ଟ୍ରମୁକୁଟ : ବିରୋଧୀ ଶିବିରରୁ ଦ୍ରୌପଦୀଙ୍କୁ କ୍ରସ ଭୋଟିଂ

141

କନକ ବ୍ୟୁରୋ : ଦେଶର ରାଜନୈତିକ ଇତିହାସରେ ଲେଖାହେଲା ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ଦେଶର ସର୍ବୋଚ୍ଚ ପଦବୀରେ ବସିବେ । ଓଡ଼ିଆ ଝିଅ ଦ୍ରୌପଦୀ ର୍ମୁର୍ମୁ ଭାରତର ପଂଚଦଶ ରାଷ୍ଟ୍ରପତି ହେବେ । ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାକୁ ହରାଇ ରାଇସିନା ହିଲ ଯାତ୍ରାକୁ ପକ୍କା କରିଛନ୍ତି ଦ୍ରୌପଦୀ । ୬୪ ପ୍ରତିଶତ ଭୋଟ ଏନଡିଏ ପ୍ରାର୍ଥୀଙ୍କୁ ମିଳିଥିବା ବେଳେ ଯଶବନ୍ତ ସିହ୍ନାଙ୍କୁ ୩୬ ପ୍ରତିଶତ ଭୋଟ ମିଳିଛି ।

ମୋଟ ୪ ହଜାର ୭୫୪ ଭୋଟ ପଡିଥିବାବେଳେ ୪ହଜାର ୭୦୧ ଭୋଟ ବୈଧ ଥିବାବେଳେ ୭୩ ଭୋଟ ନାକଚ ହୋଇଛି । ଦୌପଦୀଙ୍କୁ ମୋଟ ୨୮୨୪ ଭୋଟ ଅର୍ଥାତ ୬ ଲକ୍ଷ ୭୬ ହଜାର ୮୦୩ ଭୋଟମୂଲ୍ୟ ମିଳିଛି । ଯଶୱନ୍ତ ସିହ୍ନାଙ୍କୁ ମୋଟ ୧୮୭୭ ଅର୍ଥାତ ୩ ଲକ୍ଷ ୮୦ ହଜାର ୧୭୭ ଭୋଟମୂଲ୍ୟ ମିଳିଛି । ନିଜର ପରାଜୟକୁ ସ୍ୱୀକାର କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯଶୱନ୍ତ ସିହ୍ନା । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ୧୨୪ ବିଧାୟକ ଏବଂ ୧୭ ସାଂସଦ କ୍ରସ୍ ଭୋଟିଂରେ ସାମିଲ ହୋଇଥିବା ଜଣାପଡିଛି । ୭୩ ଭୋଟ ନାକଚ ହୋଇଛି । ଏହି ନିର୍ବାଚନରେ ୪,୭୫୪ ନିର୍ବାଚନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨,୮୨୪ ଭୋଟ୍ ପାଇଛନ୍ତି । ଯେଉଁଥିରେ ୫୪୦ ସାଂସଦଙ୍କ ଭୋଟ୍ ମଧ୍ୟ ରହିଛି । ଯଶବନ୍ତ ସିହ୍ନା ୧,୧୮୭ ଭୋଟ୍ ପାଇଛନ୍ତି ଯେଉଁଥିରେ ୨୦୮ ସାଂସଦଙ୍କ ଭୋଟ ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅନେକ ଅଣ ଏନଡିଏ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି । ତେଣୁ କ୍ରସ ଭୋଟିଂ ହୋଇଛି । ସର୍ବାଧିକ କ୍ରସ୍ ଭୋଟିଂ ଆସାମରୁ ରହିଛି । ୨୨ ଜଣ ବିଧାୟକ ଆସାମରେ କ୍ରସ୍ ଭୋଟ୍ କରିଛନ୍ତି । ମଧ୍ୟପ୍ରଦେଶରେ ୧୯ ଜଣ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟରେ ୧୬ ଜଣ ଲେଖାଏଁ, ଝାଡଖଣ୍ଡ ଏବଂ ଗୁଜୁରାଟର ୧୦ ଜଣ ଲେଖାଏଁ, ଛତିଶଗଡରୁ ୬ ଜଣ, ଗୋଆରୁ ୪ ଜଣ, ହିମାଚଳରୁ ୨ ଜଣ ଏବଂ ହରିଆଣା, ଅରୁଣାଚଳ ପ୍ରଦେଶ ଏବଂ ଓଡିଶାରୁ ଜଣେ ଲେଖାଏଁ ବିଧାୟକ କ୍ରସ ଭୋଟ୍ କରିଛନ୍ତି । ଏହି ତଥ୍ୟ କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି ।