ଦ୍ରୌପଦୀଙ୍କୁ ନା କହିଥିବା ନବଗ୍ରହ କିଏ ? ମାଟିର ଝିଅକୁ ମୁହଁ ଫେରାଇଲା କିଏ ?

3,575

କନକ ବ୍ୟୁରୋ : ଓଡିଶାର ଝିଅ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୋଇସାରିଛନ୍ତି । ଦେଶର ପ୍ରଥମ ନାଗରିକ ହେବା ସହ ରାଇସିନା ହିଲରେ ସେ ଅଭିଶିକ୍ତ ହେବେ । ସାରା ଦେଶରେ ତାଙ୍କୁ ବିପୂଳ ସମର୍ଥନ ମିଳିଥିଲା । ଅନେକ ଏନଡିଏକୁ ସମର୍ଥନ କରୁନଥିବା ଦଳ ଦ୍ରୌପଦୀଙ୍କୁ ଭୋଟଦେଇ ବିରୋଧୀଙ୍କ ଗଣିତଙ୍କୁ ବଦଳାଇଥିଲେ । ମୋଟ ୨୮୨୪ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ପଡିଛି । ଏହାର ମୂଲ୍ୟ ୬ଲକ୍ଷ ୭୬ହଜାର ୮୦୩ । ସେହିଭଳି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି ।

ତେବେ ସବୁଠାରୁ ବଡ କଥା ନିଜ ରାଜ୍ୟରେ ଦ୍ରୌପଦୀଙ୍କୁ ବିଜେଡି, ବିଜେପି ସମର୍ଥନ ଦେଇଥିଲେ । ଖାଲି ଏହି ଦୁଇ ଦଳ ନୁହେଁ କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମ ଦୃଢତାର ସହିତ କହିଥିଲେ ମୋ ଭୋଟ ଯାଇଛି ମାଟିର ଝିଅକୁ । ତେବେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳର ବିସ୍ତୃତ ତଥ୍ୟ କିନ୍ତୁ ଅଲଗା କଥା କହୁଛି । ରାଜ୍ୟରେ ୧୪୭ ବିଧାୟକ ଥିବା ବେଳେ ୧୪୬ଜଣ ଭୋଟ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଦ୍ରୌପଦୀଙ୍କ ସପକ୍ଷରେ ୧୩୭ଟି ଭୋଟ ପଡିଛି । ବିରୋଧୀ ପ୍ରାର୍ଥୀଙ୍କୁ ୯ ବିଧାୟକଙ୍କ ଭୋଟ ଯାଇଛି । ଏହି ଫଳ ସ୍ପଷ୍ଟ କରୁଛି ଯେ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ରାଜ୍ୟରେ ୯ ବିଧାୟକ ସମର୍ଥନ ଦେଇଛନ୍ତି । ତେବେ ସେ ୯ ବିଧାୟକ କିଏ ଯିଏ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି । କାହିଁକି ନା ମୋକ୍କିମ କହିଛନ୍ତି ସେ ମାଟିର ଝିଅକୁ ଭୋଟ ଦେଇଛନ୍ତି । ବିଜେପିର ବିଧାୟକ ମୋହନ ମାଝି କହିଥିଲେ ଦ୍ରୌପଦୀଙ୍କୁ କଂଗ୍ରେସର ୨ ବିଧାୟକ ଭୋଟ ଦେଇଥିବା କହିଥିଲେ । ଯାହାର ଜବାବରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ବିଜେପିର ବିଧାୟକ ବି କ୍ରସ ଭୋଟିଂ କରିଛନ୍ତି । ତେବେ କିଏ କହୁଛି ସତ? ମାଟିର ଝିଅକୁ କିଏ ସତରେ ଭୋଟ ଦେଇଛି ଆଉ କିଏ ଗୃହଭେଦୀ ସାଜିଛି ତାହା କହିହେଉନାହିଁ ।

ତେବେ ନିର୍ବାଚନ ଫଳାଫଳର ପୂର୍ଣ୍ଣାଙ୍ଗ ଆସିବା ପରେ ରାଜନୀତି ଆରମ୍ଭ ହୋଇଛିା ସାଧାରଣରେ ପ୍ରଶ୍ନ ଉଠୁଛି, ଯଶୱନ୍ତଙ୍କୁ ଭୋଟ ଦେଇଥିବା ୯ ନବଗ୍ରହ କିଏ । କିଏ ଗୃହଭେଦୀ ବିଭୀଷଣ ଯିଏ ମାଟିର ଝିଅକୁ ମୁହଁ ମୋଡିବାକୁ ପଛାଇନାହାନ୍ତି । ଆଗକୁ ଏହି ଫଳାଫଳର ରାଜନୈତିର ପାରଦକୁ ହୁଏତ ଶୀର୍ଷସ୍ତରକୁ ନେବାର ଅନୁମାନ କରାଯାଉଛି । ଏଠି କାହାପାଇଁ ମାଟି ବଡ କାହା ପାଇଁ ପାର୍ଟି ବଡ ଖୁଲାସା ହେବ କି ?