ତାତି ସାଙ୍ଗକୁ ଚିନ୍ତା ବଢ଼ାଉଛି ପାନୀୟ ଜଳ ସଙ୍କଟ: ଗାଁରେ ଶୁଖିଗଲାଣି ନଳକୂଅ, ସହରରେ ମିଳୁନି ପିଇବା ପାଣି

63

କନକ ବ୍ୟୁରୋ: ବଢ଼ୁଛି ଖରା, ଜଳୁଛି ଗାଁଠୁ ସହର । ପ୍ରବଳ ଖରା ଓ ସୂର୍ଯ୍ୟ ତାପରେ ସନ୍ତୁଳି ହେଉଛି ସାରା ଓଡିଶା । ତାତି ବଢୁଥିବା ବେଳେ ପିଇବା ପାଣି ମୁନ୍ଦାଏ ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଫୁଲବାଣୀ ଗଞ୍ଜୁଗୁଡା ଧୋବଣୀଖୋଲ ଗାଁରେ ଶୁଖିଲା ପଡିଛି ଗାଁରେ ଥିବା ୨ଟି କୂଅ, ଅଚଳ ହୋଇଯାଇଛି ନଳକୂପ । ପିଇବା ପାଣି ପାଇଁ ଗରା ବାଲଟି ଧରି ଗାଁ ଠାରୁ ପ୍ରାୟ ଅଧକିଲୋମିଟର ଦୂରକୁ ଯାଉଛନ୍ତି ମହିଳା । ଖରା ବଢ଼ୁଥିବା ବେଳେ ବିଭାଗୀୟ ଅବହେଳା ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଧୋବଣୀଖୋଲ ଗାଁକୁ ଗମନାଗମନର କୌଣସି ସୁବିଧା ନଥିବାରୁ, ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନଥିବା ସ୍ଥାନୀୟ ସରପଂଚ କହିଛନ୍ତି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡରେ ପ୍ରଶାସନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା ହୋଇନଥିବାରୁ ତାତିରୁ ତ୍ରାହି ପାଇବା ପାଇଁ ମୃଦୁ ପାନୀୟ ଦୋକାନରେ ଭିଡ ଜମାଉଛନ୍ତି ଲୋକେ । ରାସ୍ତା ନିର୍ମାଣ ନାମରେ ରାସ୍ତା କଡରେ ଥିବା ଗଛ କଟାଯାଇଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି । ଆଗକୁ ତାପମାତ୍ରା ଆହୁରି ବଢିବା ନେଇ ଆଂଚଳିକ ପାଣିପାଗ ବିଭାଗ ସତର୍କ କରାଇଥିବାବେଳେ, ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଲୋକେ ଦାବି କରିଛନ୍ତି ।