କାଲି ସଂସଦର ସେଣ୍ଟ୍ରାଲ ହଲରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପଢନ୍ତୁ, ଶପଥ ଗ୍ରହଣ ସମାରୋହର ପୂରା ବିବରଣୀ …

204

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଲେଖାଯିବ ନୂଆ ଇତିହାସ । ଦେଶ ପାଇବ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । କାଲି ସକାଳ ୧୦ଟା ୧୪ରେ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥପାଠ କରାଇବେ । ଏଥାପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ତେବେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆରିସା ପିଠା ଓ ଝେଲ ଶାଢୀ ଉପହାରରେ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୋମବାର ସାରାଦେଶର ନଜର ଟିଭି ପରଦା ଉପରେ ଲାଖିରହିବ । କାରଣ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏପଟେ ରବିବାର ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରାଷ୍ଟ୍ରପତି ଭବନରେ ଥିଲା ଶେଷଦିନ । ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାମନାଥ କୋବିନ୍ଦ । ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଉଭୟ ସଦନର ସାଂସଦ ଏବଂ ବିଶେଷ ଅତିଥି । ତେବେ ରାଷ୍ଟ୍ରପତି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାମନାଥ କୋବିନ୍ଦ ।

ଆସନ୍ତାକାଲି ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଝିଅ, ପରିବାରର ଅନ୍ୟ ସଦସ୍ୟଙ୍କ ସହ ସହପାଠୀ ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ୫୦ରୁ ଅଧିକ ଲୋକଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇ ଆମନ୍ତ୍ରଣ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ୬ ବିଜେପି ବିଧାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଦ୍ରୌପଦୀଙ୍କ ଶପଥ ସମାରୋହରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଆସନ୍ତୁ ନଜର ପକାଇବା ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହର ପୂରା ବିବରଣୀ ଉପରେ ।

  • ଦିନ ୯ଟା ୧୭ – ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଆପାର୍ଟମେଣ୍ଟ ଛାଡି ‘କାବେରୀ’ ଅଭିମୁଖେ ବାହାରିବେ
  • ଦିନ ୯ଟା ୨୨- ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିବେ । ତାଙ୍କୁ କାବେରୀ ଅଭିମୁଖେ ପାଛୋଟି ନିଆଯିବ ଓ ରାମନାଥ କୋବିନ୍ଦ ତାଙ୍କୁ ସ୍ୱାଗତ କରିବେ
  • ଦିନ ୯ଟା ୩୭- ରାଷ୍ଟ୍ରପତିଙ୍କ ସାମରିକ ସଚିବ ଫୋରକୋର୍ଟରେ ପହଞ୍ଚି ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀଙ୍କଠାରୁ ସାଲ୍ୟୁଟ୍ ନେବେ
  • ଦିନ ୯ଟା ୪୨- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାବେରୀ ଛାଡି ଦରବାର ହଲ ଅଭିମୁଖେ ବାହାରିବେ
  • ଦିନ ୯ଟା ୫୦- ଦ୍ରୌପଦୀ ମୁର୍ମୁ ନର୍ଥକୋର୍ଟ ଛାଡି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ ଅଭିମୁଖେ ଯିବେ
  • ଦିନ ୧୦ଟା ୫- ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା ସେଣ୍ଟ୍ରାଲ ହଲ ପର୍ଯ୍ୟନ୍ତ ଯିବ
  • ଦିନ ୧୦ଟା ୧୪- ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି, ଏହାପରେ ତାଙ୍କୁ ଆସନ ଛାଡିବେ କୋବିନ୍ଦ

ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ଉପସ୍ଥିତ ରହିବେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସାଂସଦ, ଭାରତ ସରକାରଙ୍କ ପ୍ରମୁଖ ସାମରିକ ଓ ବେସାମରିକ ଅଧିକାରୀ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ୨୧ଟି ତୋପ ସଲାମୀ ଦିଆଯିବାର ବିଧି ରହିଛି । ରାଷ୍ଟ୍ରପତି ଭବନ ଯିବା ପରେ ସେଠାରେ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।