କ୍ଷମତା କଳିରେ ବଳି ପଡ଼ିଲା ଜଗତସିଂହପୁର ଜିଲ୍ଲା । ଘୋଷଣା ହେଲାନି ବିଜେଡି ଯୁବ ସଭାପତି, ଛିଡିିଲାନି କି ଅଙ୍କ କଷା? 

4,075
କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ଅନୁମୋଦନ କରିଛନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନୌତିକ ଅସ୍ତିରତା ଦେଖା ଦେଇଛି । କାରଣ ଜଗତସିଂହପୁର ଜିଲ୍ଲା ସଭାପତି ପାଇଁ ସୁପ୍ରିମ ମନୋନୟନ କରି ନାହାନ୍ତି । ତେବେ ଯୁବ ସଭାପତି ପଦ ପାଇଁ ଅନେକ ଦାବି ଦାର ଥିବା ବେଳେ କାହିଁକି ସୁପ୍ରିମୋ ମୋହର ମାରିଲେ ନାହିଁ ତାକୁ ନେଇ ଆଲୋଚନା ଜୋର ଧରିଛି । ମନ୍ତ୍ରୀ ଓ ସଭାପତିଙ୍କ କଳିରେ ଜିଲ୍ଲାର ଯୁବ ସଭାପତି ବଛା ଯାଇ ପାରି ନଥିବା କୁହାଯାଉଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।
ଦୀର୍ଘ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଭାବରେ ସ୍ୱର୍ଗତ ବିଷ୍ଣୁ ଦାସ ରହିଥିଲେ । ଜିଲ୍ଲା ଯୁବ ସଭାପତି, ମହିଳା ସଭାନେତ୍ରୀ, ଛାତ୍ର ସଭାପତି ଭାବେ ସେ ଯାହାକୁ ଚାହୁଁଥିଲେ ତାକୁ କରୁଥିଲେ । ସଭାପତି ଭାବରେ ତାଙ୍କ କଥାକୁ ଗ୍ରହଣ କରାଯାଉଥିଲା । ହେଲେ ସାଧାରଣ ନିର୍ବାଚନ ଠାରୁ ବିଷ୍ଣୁ ଦାସଙ୍କୁ ସଭାପତି ପଦରୁ ହଟାଇ ଯୁବ ସଭାପତି ଥିବା ଅମରେନ୍ଦ୍ର ଦାସଙ୍କୁ  ଜିଲ୍ଲା ସଭାପତି କରାଗଲା । ହେଲେ ନିର୍ବାଚନ ସରିବା ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ବିଜେଡି ସଭାପତି ପଦ ଦିଆଗଲା ।
ଅନ୍ୟ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ ସଭାପତିଙ୍କ ସୁପାରିଶ କ୍ରମେ ଯୁବ ସଭାପତି ଚୟନ ହୋଇଥିବା ଜଣାପଡ଼ିଛି । ହେଲେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜି ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ବେଳେ ଜଗତସିଂହପୁର ଜିଲ୍ଲା ବାଦ୍ ପଡ଼ିଛି ।
ତେବେ କ୍ଷମତା ଲଢ଼େଇ ଯୋଗୁଁ ଜିଲ୍ଲାରେ ଯୁବ ସଭାପତି ଚୟନ ହୋଇ ପାରିଲା ନାହିଁ ବୋଲି ଆଲୋଚନା ହେଉଛି । ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଳା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁର ପୌରାଂଚଳର ସମିତ ଲେଙ୍କାଙ୍କୁ ଜିଲ୍ଲା ଯୁବ ସଭାପତି ପାଇଁ ମନୋନୀତ କରି ଥିଲେ । ସମିତଙ୍କ ନାମକୁ ସୁପାରିଶ ବି କରିଥିଲେ । ହେଲେ ବାଲିକୁଦା-ଏରସମା ବିଧାୟକ, ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଳିକ ଏବଂ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ବାଲିକୁଦାର ସମିତି ସଭ୍ୟ ଥିବା ସୌମ୍ୟଜିତ୍ ମହାପାତ୍ରଙ୍କ ନାମକୁ ସୁପାରିଶ କରିଥିଲେ । ଯାହାକୁ ନେଇ କ୍ଷମତା କେନ୍ଦ୍ରରେ ଟଣା ଭିଡ଼ା ହେଉଥିବା କୁହାଯାଉଛି  ।
ଆଗକୁ ଉପ ନିର୍ବାଚନ ଆସୁଥିବାରୁ ଦଳରେ ବିଶୃଙ୍ଖଳାକୁ ଆଖି ଆଗରେ ରଖି ସୁପ୍ରିମୋ ଜଗତସିଂହପୁରରେ କାହାରି ନାମ ଉପରେ ମୋହର ମାରି ନାହାନ୍ତି । ଅନ୍ୟ ପଟେ ତିନି ତିନି ଥର ଛାତ୍ର ସଭାପତି ହୋଇଥିବା ବିରିଡ଼ିର ପ୍ରଦୀପ୍ତ ଭୂୟାଁ ମଧ୍ୟ ଦୌଡ଼ରେ ରହିଥିଲେ । ପୂର୍ବରୁ ବିଷ୍ଣୁ ଦାସ ହିଁ ତାଙ୍କୁ ଛାତ୍ର ସଭାପତି ପାଇଁ ସୁପାରିଶ କରୁଥିଲେ । ଏଥର ଯୁବ ସଭାପତି ହେବା ପାଇଁ ମଧ୍ୟ ବିଷ୍ଣୁ ବଂଚିଥିବା ସମୟରେ ଲେଖିଥିଲେ । ହେଲେ ତାଙ୍କ ଦେହାନ୍ତ ପରେ ତାଙ୍କ ନାମ କୌଣସି ବିଧାୟକ ସୁାପରିଶ କରି ନଥିବା କଥା କହି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ଭୂୟାଁ କହିଛନ୍ତି ।