ଡୋନାଲ୍ଡ ଟ୍ରମ୍ପଙ୍କ ବଢ଼ିଲା ଅଡ଼ୁଆ: ଗୁପ୍ତ କାଗଜପତ୍ର ମାମଲାରେ ଅଭିଯୋଗ

118

କନକ ବ୍ୟୁରୋ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଏବେ ପୁଣି ନୂଆ ବିବାଦରେ ଛନ୍ଦି ହେବା ସହ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଛି ।

ଏନେଇ ନିଜେ ଟ୍ରମ୍ପ ହିଁ ସୂଚନା ଦେଇଛନ୍ତି । ୭ଟି ଆଧାରରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଟ୍ରମ୍ପଙ୍କ ଓକିଲ କହିଛନ୍ତି ଯେ, ପ୍ରତିରକ୍ଷା ସମ୍ପର୍କିତ କାଗଜପତ୍ର ରଖିବା, ମିଥ୍ୟା ମନ୍ତବ୍ୟ ଓ ଷଡ଼ଯନ୍ତ୍ର ନେଇ ଟ୍ରମ୍ପଙ୍କ ନାଁରେ ଅଭିଯୋଗ ହୋଇଛି । ମଙ୍ଗଳବାର ମିଆମି କୋର୍ଟରେ ହାଜର ହେବାକୁ ତାଙ୍କୁ ସମନ ମିଳିଛି ।

ନୂଆ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ବାଇଡେନ ପ୍ରଶାସନ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି । ତେଣୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣିବାରେ ଲାଗିଛି । ହେଲେ ସେ ନିର୍ଦ୍ଦୋଷ, ତେଣୁ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରମ୍ପ । ଏହାସହ ଆମେରିକା ଇତିହାସରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପ୍ରଥମ ଘଟଣା । ଏହା ଆମେରିକା ଇତିହାସରେ ଏହା ଏକ କଳାଦିନ ବୋଲି ଟ୍ରମ୍ପ କହିଛନ୍ତି ।

କ’ଣ ଏହି ଗୁପ୍ତ କାଗଜପତ୍ର ମାମଲା?
• ୨୦୨୧ରେ ଟ୍ରମ୍ପଙ୍କ ପ୍ରତିନିଧି ସହ ଯୋଗାଯୋଗ କରିଥିଲା ନ୍ୟାସନାଲ ଆରକାଇଭ୍ ଓ ରେକର୍ଡସ୍ ଆଡମିନିଷ୍ଟ୍ରେସନ
• ହ୍ୱାଇଟ ହାଉସରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ ଥିବା ସେମାନେ ଏଥିରେ ଦର୍ଶାଇଥିଲେ
• ହ୍ୱାଇଟ ହାଉସର କାଜପତ୍ର ଆମେରିକୀୟ ସରକାରଙ୍କ ସମ୍ପତ୍ତି ଓ ଏହାକୁ ସଂରକ୍ଷିତ ରଖାଯିବାର ନିୟମ ରହିଛି
• ୨୦୨୨ ଜାନୁଆରୀରେ ଟ୍ରମ୍ପଙ୍କ ଫ୍ଲୋରିଡା ଘରୁ କାଗଜପତ୍ର ମିଳିଲା
• ୧୫ଟି ବାକ୍ସରେ ଏସବୁକୁ ରଖାଯାଇଥିଲା
• ଟ୍ରମ୍ପଙ୍କ ପକ୍ଷରୁ କୁହାଗଲା ଯେ, ପ୍ରଶାସନ ମାଗିଥିବା ସବୁ କାଗଜପତ୍ର ଦିଆସରିଛି
• ହେଲେ ପ୍ରଶାସନ ଏହାକୁ ଖଣ୍ଡନ କଲା
• ପରେ ପୁଣି ଆଉ ୩୩ ବାକ୍ସର କାଗଜପତ୍ର ଉଦ୍ଧାର କରାଗଲା
• ଏହି ମାମଲାରେ ଏବେ ଟ୍ରମ୍ପଙ୍କ ନାଁରେ ଅଭିଯୋଗପତ୍ର ଦାଖଲ ହୋଇଛି

ଆମେରିକାରେ ଆସନ୍ତାବର୍ଷ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଟ୍ରମ୍ପ ଘୋଷଣା କରିସାରିଛନ୍ତି । ବାଇଡେନ ମଧ୍ୟ ପୁଣି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି ।

ରାଜନୈତିକ ଛକାପଂଝା ଭିତରେ ଟ୍ରମ୍ପଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲା ଓ ବ୍ୟବସାୟିକ ଭୁଲ ତଥ୍ୟ ଦେବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି ।